Categories: ଅପରାଧ

ମା’କୁ କଟୁରୀରେ ହାଣି ହତ୍ୟା ଘଟଣା: ଅଭିଯୁକ୍ତ ପୁଅ, ବୋହୂ କୋର୍ଟ ଚାଲାଣ

ବରୀ/ଯାଜପୁର ଟାଉନ,୩୦ା୬(ସ୍ବ.ପ୍ର./ଡି.ଏନ୍‌.ଏ.)- ମା’କୁ କଟୁରୀରେ ହାଣି ହତ୍ୟା ଘଟଣାରେ ଶନିବାର ପୋଲିସ ପାରାଦୀପରୁ ଅଭିଯୁକ୍ତ ପୁଅ ଓ ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ବରୀ ବ୍ଲକ ଦରଘା ଗ୍ରାମର ରାଜେନ୍ଦ୍ର ଜେନା ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଯାଜପୁର ଜିଲା ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ସେମାନଙ୍କୁ ଖୋଜୁଥିଲା। ଶନିବାର ଏହି ଟିମ୍‌ ପକ୍ଷରୁ ଉଭୟଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ୨୦୧୮ ଜୁନ୍‌ ୧୧ରେ ପାରିବାରିକ କଳହକୁ ନେଇ ଦରଘା ଗ୍ରାମର ମେଘୀ ଜେନାଙ୍କୁ ପୁଅ ରାଜେନ୍ଦ୍ର ଓ ବୋହୂ ମଞ୍ଜୁଲତା ମିଶି କଟୁରୀରେ ହାଣି ହତ୍ୟା କରିଥିଲେ। ଏ ନେଇ ମେଘୀଙ୍କ ଝିଅ ବରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ. ୮୨/୧୮) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏହି ଘଟଣା ପରେ ରାଜେନ୍ଦ୍ର ଓ ମଞ୍ଜୁଲତା ଫେରାର ହୋଇ ଯାଇଥିଲାବେଳେ ପୋଲିସ୍‌ ଟେର ପାଉ ନ ଥିଲା। ଶନିବାର ସକାଳୁ ପାରାଦୀପଠାରେ ରାଜେନ୍ଦ୍ର ଓ ମଞ୍ଜୁଲତାଙ୍କୁ ପୋଲିସ୍‌ ଗିରଫ କରି ବରୀ ଥାନାକୁ ଆଣିଥିଲା। ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଯାଜପୁର ସଦର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସଡିପିଓ ରବୀନ୍ଦ୍ର କୁମାର ଜେନା, ବରୀ ଥାନାଧିକାରୀ ଚକ୍ରପତି କଅଁର ଏହି ସୂଚନା ଦେଇଛନ୍ତି।