ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ମହିଳା କମିଶନର ଦ୍ୱାରସ୍ଥ ହେଲେ ପରିବାର ଲୋକେ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝରର ସାମାଜିକ କର୍ମୀ ରୋଜାଲିନ ସାହୁ (ନୈନା)ଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ କରି ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା  ପାଇଁ ଶନିବାର ନୈନାଙ୍କ ମା’ ରେବତୀ ସାହୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଡାକ ଯୋଗେ ନିଜ ଅଭିଯୋଗ ପତ୍ର ପଠାଇ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏତଦ୍‌ ବ୍ୟତୀତ ସେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜିଙ୍କ ନିକଟକୁ ମଧ୍ୟ ଅଭିଯୋଗପତ୍ର ପଠାଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ନୈନାଙ୍କ ପିତା ମାତା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଏସ୍‌ପି, କ୍ରାଇମ୍‌ ଡିଏସ୍‌ପି ଉପାସନା ପାଢ଼ୀଙ୍କୁ ତଦନ୍ତ ଭାର ଦେଇଛନ୍ତି।

ଘଟଣାରୁ ପ୍ରକାଶ, ଡିସେମ୍ବର ୧୧ ତାରିଖରେ ଘଟଗାଁ ଥାନା ବାଇପାସ ରାସ୍ତାରେ ବାଇକ୍‌ ଦୁର୍ଘଟଣାରେ ନୈନା ଗୁରୁତର ହେବା ଏବଂ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଡିସେମ୍ବର ୨୮ରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଗାଁ ପୋଲିସ ଜାନୁୟାରୀ ୨ରେ କେସ୍‌ ନଂ ୧/୨୩ରେ ଏକ ଦୁର୍ଘଟଣା ମାମଲା ରୁଜୁ କରିଥିଲା। ଘଟଣା ଦିନ ବାଇକ୍‌ରେ ନୁହେଁ ସ୍କର୍ପିଓରେ ଝିଅକୁ ଡାକି ନେଇଥିବାବେଳେ ବାଇକ୍‌ ଦୁର୍ଘଟଣାରେ ଝିଅର ମୃତ୍ୟୁ ନେଇ ପରିବାର ଲୋକ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଅଭିଯୋଗ ଅନୁଯାୟୀ, ଝିଅର ଦୁର୍ଘଟଣା ଅପରାହ୍ନ ୨ଟା ୩୦ରେ ହୋଇଥିବାବେଳେ ପରିବାର ଲୋକଙ୍କୁ ସା ୬ଟା ୩୦ରେ ସଞ୍ଜୟ ମହାନ୍ତି ଫୋନ୍‌ ଯୋଗେ ଜଣାଇଥିଲେ। ବିଳମ୍ବରେ ପରିବାର ଲୋକଙ୍କୁ ସୂଚନା ଦେଇଥିବାରୁ ପ୍ରକାଶ ମଲ୍ଲିକ ଏବଂ ଅନ୍ୟମାନଙ୍କ ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ। ସେହିପରି ହାଟଡିହୀକୁ ଏକ ସମାଜସେବା କାର୍ଯ୍ୟକ୍ରମକୁ ସ୍କର୍ପିଓରେ ଯିବା କହି ପ୍ରକାଶ ମଲ୍ଲିକ ଝିଅକୁ ଘରୁ ଡାକି ନେଇ ଯାଇଥିବାବେଳେ ବାଇକ ଦୁର୍ଘଟଣା ଘଟିଥିବା କହିବା ଘଟଣାକୁ ବିଶ୍ୱାସ କରୁନାହାନ୍ତି ପରିବାର ଲୋକ। ସେହିପରି ଉକ୍ତ ଦିନ ଜାତୀୟ ରାଜପଥ ୨୦ ଘଟଗାଁ ବାଇପାସ ରାସ୍ତାରେ ସେଭଳି କୌଣସି ଦୁର୍ଘଟଣା ହୋଇ ନ ଥିବା ଆଖପାଖ ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ। ପୋଲିସ ପକ୍ଷରୁ ଉକ୍ତ ଦିନର ଖଣ୍ଟଘର ଟୋଲ୍‌ ଗେଟ ଫୁଟେଜ ପାଇଁ ଟୋଲଗେଟ୍‌ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି । ଜବତ ବାଇକ୍‌ର ସମ୍ପୂର୍ଣ୍ଣ ବିବରଣୀ ପାଇଁ କେନ୍ଦୁଝର ଆର୍‌ଟିଓ ଏବଂ କଲ୍‌ ରେକର୍ଡ ଯାଞ୍ଚ ପାଇଁ ଟେଲିଫୋନ କମ୍ପାନୀକୁ ଚିଠି କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।