ମାଓବାଦୀ ଅଞ୍ଚଳରେ ଗର୍ଭବତୀଙ୍କୁ ସହାୟକ ହେଉଛି ବାଇକ୍‌ ଆମ୍ବୁଲାନ୍ସ

ରାୟପୁର,୭।୧: ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ନାରାୟଣପୁରର ଅଧିକାଂଶ ଗାଁ ଏବେବି ମୁଖ୍ୟ ସଡ଼କ ସହ ଯୋଡି ହୋଇପାରି ନ ଥିବା ଏକ ବଡ ଅଞ୍ଚଳ ଭାବେ ପରିଚିତ। ଏଠାରେ ସଡ଼କ କହିଲେ ମାଟିର ରାସ୍ତା ଓ ଯାନ କହିଲେ ବଳଦ ଗାଡି। ବର୍ଷାଦିନେ ରୋଗୀ ଅବା ଗର୍ଭବତୀ ଏହି ଗାଁରୁ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବା କାଠିକର ପାଠ ହୋଇଥାଏ। ସରକାର ଅବା ପ୍ରଶାସନ ଚାହିଁଲେ ମଧ୍ୟ ଏଠାରେ ସଡ଼କ ନିର୍ମାଣ କରିପାରୁ ନାହାନ୍ତି। ମାଓବାଦୀଙ୍କ ଉପଦ୍ରବ ଯୋଗୁ ଏହା ସମ୍ଭବ ହୋଇ ପାରୁନାହିଁ। ଫଳରେ ଏଠାକାର ଲୋକେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ବିଶେଷ ଭାବେ ଗର୍ଭବତୀମାନେ ପ୍ରସବ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏବେ ଜିଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ବାଇକ୍‌ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ପୂର୍ବରୁ ଏଠାରେ ବାଇକ୍‌ ଆମ୍ବୁଲାନ୍ସ ବ୍ୟବସ୍ଥା ଥିଲା। ହେଲେ ଏବେ ଆଉ ୪ଟି ବାଇକ୍‌ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବା କହିଛନ୍ତି ଜିଲାପାଳ ପଦୁମ ସିଂ ଅଲମା। ଏହାକୁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି। ଏଥିରେ ଜଣେ ଗର୍ଭବତୀ ଶୋଇପାରିବା ସହ ଅନ୍ୟଜଣେ ତାଙ୍କ ନିକଟରେ ବସି ଯାଇପାରିବେ। ଯେଉଁ ପର୍ଯ୍ୟନ୍ତ ମାଟିରାସ୍ତା ରହିଛି ସେପର୍ଯ୍ୟନ୍ତ ଏହି ବାଇକ୍‌ ଆମ୍ବୁଲାନ୍ସ ଯାଇ ପାରୁଛି ବୋଲି ଜଣାପଡିଛି।

Share