Categories: ଅନୁଗୋଳ

ମାଉସୀ ଘର ଯିବେ ମହାପ୍ରଭୁ : ପଥ ଚାହିଁଛି ୩ ରଥ

ଅନୁଗୋଳ ଅଫିସ, ୪।୭ – ରଥରେ ଚଢ଼ି ମାଉସୀ ଘର ଯିବେ ମହାପ୍ରଭୁ। ଏଥିପାଇଁ ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଉ ମାତ୍ର କେଇ ଘଣ୍ଟା ପରେ ଟାହିଆ ହଲାଇ ପହଣ୍ଡିରେ ଆସି ରଥାରୁଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ଠାକୁରଙ୍କ ପଥକୁ ଚାହିଁ ରହିଥିବା ୩ ରଥ ଗଡ଼ିବ ବଡ଼ଦାଣ୍ଡରେ।
କାଳିଆ ଠାକୁରଙ୍କ ଏହି ନବଦିନାତ୍ମକ ଯାତ୍ରା ପାଇଁ ଅନୁଗୋଳ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର ସମ୍ମୁଖରେ ରଥକୁ ପ୍ରସ୍ତୁତ କରି ରଖାଯାଇଛି। ଗୁରୁବାର ସକାଳେ ଶ୍ରୀଜୀୟୁମାନଙ୍କ ବିଭିନ୍ନ ନୀତି ହେବା ପରେ ପହଣ୍ଡି ଆରମ୍ଭ ହେବ। ଭୋର ସାଢ଼େ ୩ଟାରୁ ଦ୍ୱାର ଫିଟା ସହ ମଙ୍ଗଳ ଆରତି କରାଯିବ। ଏହାପରେ ୪ଟାରେ ସେନାପଟା ଲାଗି ସହ ଅବକାଶ ନୀତି ଓ ରୋସ ହୋମ ହେବ। ୫ଟା ୩୦ରେ ବେଶ ଲାଗି, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗରୁଡ଼ ପୂଜା, ବାଳ ଧୂପ ଓ ଖେଚୁଡ଼ି ଧୂପ କରାଯିବ। ସାଢ଼େ ୭ଟାରେ ବଡ଼ଦାଣ୍ଡରେ ରଥ ପ୍ରତିଷ୍ଠା ଓ ଚାରମାଳ ଲାଗି କରାଯିବ। ୮ଟାରେ ମଙ୍ଗଳାର୍ପଣ ପରେ ୯ଟାରେ ପହଣ୍ଡି ଆରମ୍ଭ ହେବ। ପୂର୍ବାହ୍ନ ୧୧ଟାରେ ମଦନମୋହନ ରଥ ଉପରକୁ ବିଜେ କରିବେ। ଏହାପରେ ମନ୍ଦିର ପରିଚାଳନା କମିଟି ସଭାପତି ତଥା ଜିଲାପାଳ ମନୋଜ କୁମାର ମହାନ୍ତି ଓ ଉପସଭାପତି ତଥା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ନିମନ୍ତ୍ରଣ କରାଯିବ। ମଧ୍ୟାହ୍ନ ୧୨ଟାରେ ତିନି ରଥରେ ଛେରାପହଁରା ଓ ଅପରାହ୍ନ ୧ଟାରେ ଘୋଡ଼ା, ସାରଥି ସଂଯୋଜନ, ଚାରମାଳ ଉଲାଗି ପରେ ରଥ ଦୌଡ଼ି ବନ୍ଧାଯିବ। ଅପରାହ୍ନ ୩ଟାରେ ରଥ ଟଣା ଆରମ୍ଭ ହେବ। ସନ୍ଧ୍ୟା ସାଢ଼େ ୬ଟାରେ ୩ ରଥକୁ ମାଉସୀମା ମନ୍ଦିର ରଥ ଖଳାରେ ପ୍ରବେଶ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ଦିର ପରିଚାଳନା କମିଟି ସମ୍ପାଦକ ହେମନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ଖଳାରେ ରଥ ରହିବା ପରେ ଭକ୍ତଙ୍କୁ ଶ୍ରୀଜୀଉମାନେ ଦର୍ଶନ ଦେବେ। ଶୈଳଶ୍ରୀକ୍ଷେତ୍ରରୁ ମାଉସୀମା ମନ୍ଦିରକୁ ଯିବା ରାସ୍ତାରେ ଅନୁଗୋଳ କୋର୍ଟ ଓ ଥାନା ନିକଟରେ ରଥାରୂଢ଼ ଠାକୁରଙ୍କୁ ଶୁଖିଲା ଭୋଗ ଲାଗି କରାଯିବାର ବ୍ୟବସ୍ଥା ରହିଛି। ତାଳଧ୍ୱଜ ରଥ ଦାୟିତ୍ୱରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ନନ୍ଦିଘୋଷ ରଥ ଦାୟିତ୍ୱରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିିରାୟ ଓ ଦର୍ପଦଳନ ରଥ ଦାୟିତ୍ୱରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଦୁନାଥ ହଁାସଦାଙ୍କୁ ରଖାଯାଇଛି।