ମାଆଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଥିଲା ଶେଷ ପୋଷ୍ଟ

ମୁମ୍ବାଇ: ବଲିଉଡ୍‌ର ଜଣେ ଆଗଧାଡିର କଳାକାର ସୁଶାନ୍ତ ସିଂ ରାଜପୁତ ରବିବାର ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିବା ଖବର ଆସିଛି। ଯାହା ବଲିଉଡ୍‌ ଜଗତ ପାଇଁ ନିଶ୍ଚିତ ଭାବେ ବଡ ଦୁଃଖଦ ଖବର। ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତଙ୍କ ପରଲୋକ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପ୍ରଶଂସକ। ସୁଶାନ୍ତ ନିଜ ଘରେ ପଙ୍ଖାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଖବର ପ୍ରଥମେ ତାଙ୍କ ଚାକର ପୋଲିସକୁ ଦେଇଥିବା ସୂଚନା ମିଳିଛି। କିଛିଦିନ ହେବ ସୁଶାନ୍ତ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିଲେ। ପ୍ରାୟ ୧୦ ଦିନ ତଳେ ସେ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେଷ ପୋଷ୍ଟ କରିଥିବା ଦେଖାଯାଇଛି। ଯାହା ଏବେ ଆଲୋଚନା ହେଉଛି। ଏହି ପୋଷ୍ଟରେ ସେ ଲେଖିଥିଲେ, ଲୁହରେ ବାଷ୍ପିଭୂତ ହୋଇଥିବା ଅତୀତ, ଅସମାପ୍ତ ସ୍ବପ୍ନ ଗୁଡିକ ସ୍ମିତହାସ୍ୟରେ ଖୋଦିତ ଏବଂ ଏକ କ୍ଷଣସ୍ଥାୟୀ ଜୀବନ ପରସ୍ପର ମଧ୍ୟରେ ବୁଝାମଣା..’। ଏମିତି ଏକ ଇମୋଶନାଲ ପୋଷ୍ଟ ସେ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ। ସୂଚନାଯୋଗ୍ୟ, ସୁଶାନ୍ତଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ତାଙ୍କ ମା’ଙ୍କୁ ହରାଇଥିଲେ। ହେଲେ ବହୁବାର ସେ ସୋସିଆଲ ମିଡିଆରେ ତାଙ୍କ ମା’ଙ୍କ ପ୍ରତିଥିବା ଭଲପାଇବାକୁ ଉପସ୍ଥାପନ କରିଛନ୍ତି। ଏବେ ସେ ମୁମ୍ବାଇ ବାନ୍ଦ୍ରାରେ ଥିବା ଘରେ ଏକାକୀ ରହୁଥିବା ବେଳେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ବଲିଉଡ୍‌ ମୁଭି କାଇ ପୋ ଚେ, କେଦାରନାଥ, ଛିଛୋରେ, ଏମ୍‌ ଏସ୍‌ ଧୋନୀ ଭଳି ହିଟ୍‌ ଫିଲ୍ମ ତାଙ୍କୁ ଦର୍ଶକଙ୍କ ହୃଦୟରେ ଅଭୁଲା କରି ରଖିବ। ନିକଟରେ ବଲିଉଡ୍‌ କଳାକାର ଇର୍ଫାନ ଖାଁ ଓ ରିଷି କପୁରଙ୍କ ପରଲୋକ ଖବର ମନରୁ ନ ଲିଭୁଣୁ ଏବେ ସୁଶାନ୍ତଙ୍କ ପରଲୋକ ସିନେ କଳାକାର ମହଲରେ ଆଉ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

Share