ମହୁମାଛି ଆକ୍ରମଣ: ୨ ଛାତ୍ରୀ ଆହତ

ବାଙ୍କୀ,୧୪।୩ (ସ୍ବ.ପ୍ର.): ଡମପଡ଼ା ବ୍ଲକ ସିଂହନାଥପୁରର ବ୍ରହ୍ମେଇଁ ଠାକୁରାଣୀଙ୍କ ପୀଠରେ ଶୁକ୍ରବାର ମହୁମାଛି ଆକ୍ରମଣରେ ବାଙ୍କୀ କଲେଜ ଅର୍ଥନୀତି ବିଭାଗର ୨ ଛାତ୍ରୀ ଆହତ ହୋଇଛନ୍ତି। ସେମାନେ ବାଙ୍କୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବାପରେ ଏବେ ସୁସ୍ଥ ଥିବା ଜଣାପଡିଛି। ଅର୍ଥନୀତି ବିଭାଗ ଛାତ୍ରୀଛାତ୍ର ଏହି ପୀଠକୁ ଭୋଜି କରିବାକୁ ଆସିଥିଲେ। ପୀଠରେ ଥିବା ଏକ ବଟଗଛ ନିକଟରେ ରୋଷେଇ କରୁଥିବା ବେଳେ ଗଛରେ ବସା ବାନ୍ଧିଥିବା ଏକ ମହୁ ଫେଣାରୁ ମହୁମାଛି ବାହାରି ଛାତ୍ରୀଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ବ୍ରହ୍ମେଇଁ କମିଟିର ସମ୍ପାଦକ ବକ୍ସି ସୁଧାଂଶୁ ରଞ୍ଜନ ପଟ୍ଟନାୟକ କହିଛନ୍ତି, ମା’ଙ୍କ ଆସ୍ଥାନ ଠାରୁ ପ୍ରାୟ ୫୦ଫୁଟ ଉଚ୍ଚରେ ମହୁମାଛି ବସାବାନ୍ଧିଛନ୍ତି। ୨ ଦିନ ତଳେ ସେମାନଙ୍କୁ ଘଉଡାଇବା ପାଇଁ ନିଆଁ ହୁଳା ଜାଳିଥିଲୁ। ହେଲେ ପରଦିନ ସକାଳେ ସେମାନେ ପୁନର୍ବାର ସେଠାକୁ ଫେରିଆସିଥିଲେ। ଏନେଇ ଡମପଡ଼ା ବନ ବିଭାଗକୁ ଅବଗତ କରାଯାଇଛି।