ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା: ଡାକ୍ତରଖାନା ଗେଟ୍‌ରେ ତାଲା ପକାଇ ବିକ୍ଷୋଭ

ନୂଆଗାଁ,୧୩।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ନାହାନ୍ତି। ଫଳରେ ରୋଗୀସେବା ବିପର୍ଯ୍ୟସ୍ତ ହେଉଛି। ରବିବାର ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର ନ ଥିବା ଯୋଗୁ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ସନ୍ଧ୍ୟାରେ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଡାକ୍ତରଖାନା ସୋମବାର ସକାଳ ୧୦ଟା ଯାଏ ବନ୍ଦ ରହିଥିଲା । ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ମନୋଜ ସାହୁ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ତାଲା ଖୋଲିବା ପାଇଁ ରାଜି ହୋଇ ନ ଥିଲେ । ଆବଶ୍ୟକ ମୁତାବକ ଡାକ୍ତର ନ ଆସିବା ଯାଏ ଲୋକମାନେ ତାଲା ଖୋଲିବେ ନାହିଁ ବୋଲି ଜିଦ୍‌ ଧରି ବସିଥିଲେ । ନୂଆଗାଁ ଥାନା ଅଧିକାରୀ ମନୋରମା ମଲିକ ପହଞ୍ଚତ୍ ଲୋକମାନଙ୍କୁ ବୁଝାଶୁଝା କରିବା ସହ ମଙ୍ଗଳବାର ହେବାକୁ ଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ଡାକ୍ତର ପଦବୀ ପୂରଣ ପାଇଁ ଦାବି ଉପସ୍ଥାପନ କରିବାକୁ କହିବା ପରେ ଡାକ୍ତରଖାନା ଗେଟରୁ ତାଲା ଖୋଲା ଯାଇଥିଲା।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ମହୀପୁର ଅଞ୍ଚଳର ଜଣେ ୫ ବର୍ଷର ଶିଶୁ ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ ତାଙ୍କର ଚିକିତ୍ସା ପାଇଁ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ସେଠାରେ କୌଣସି ଡାକ୍ତର କିମ୍ବା କର୍ମଚାରୀ ନ ଥିଲେ । ତେଣୁ ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇ ଗେଟରେ ତାଲା ପକାଇ ଦେଇଥିଲେ । ଦୀର୍ଘ ଦିନ ହେଲା ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହାର ସମାଧାନ ଲାଗି କୌଣସି ଅଧିକାରୀ ଦୃଷ୍ଟି ଦେଉ ନାହାନ୍ତି। ମହୀପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ମେଡିକାର ଅଫିସରଙ୍କ ସହ ପ୍ରତି ବିଭାଗର ଜଣେ ଲେଖାଏ ଏପରି ମୋଟ ୬ ଜଣ ଏମ୍‌ବିବିଏସ ଡାକ୍ତର ଓ ୨ ଜଣ ଆୟୁଷ ଡାକ୍ତର ରହିବା କଥା । କିନ୍ତୁ ଏଠାରେ ୩ ଜଣ ଡାକ୍ତର ଓ ଜଣେ ଆୟୁଷ ଡାକ୍ତରଙ୍କ ଅଭାବ ରହିଛି । ପ୍ରତି ଡାକ୍ତରଖାନାରେ ଜଣେ ଏମ୍‌ବିବିଏସ ଡାକ୍ତର ଓ ଜଣେ ଆୟୁଷ ଡାକ୍ତର ରହିବା ନିୟମ ଥିବା ବେଳେ ନୂଆଗାଁ ଡାକ୍ତରଖାନାରେ ଦୀର୍ଘ ୨ ବର୍ଷ ହେଲା କୌଣସି ଡାକ୍ତର ନାହାନ୍ତି। ଜଣେ ଫାର୍ମାସିଷ୍ଟଙ୍କୁ ନେଇ ଚାଲିଛି ଡାକ୍ତରଖାନା । ବାହାଡାଝୋଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଅଧିକ ଆଦିବାସୀ ଜନସାଧାରଣ ନିର୍ଭର କରୁଥିବା ଯୋଗୁ ତାହାକୁ ନବୀକରଣ ପରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନାମକରଣ କରାଯାଇ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆୟୁଷ ଡାକ୍ତରଙ୍କ ଅଭାବ ପୂରଣ କରାଯାଇନାହିଁ । ସେହିପରି ଡିମିରିପଲିରେ ଜଣେ ଆୟୁଷ ଡାକ୍ତର, ଜଗନ୍ନାଥପ୍ରସାଦରେ ଏମ୍‌ବିବିଏସ ଡାକ୍ତରଙ୍କ ଅଭାବ ରହିଛି ।