ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେବେ ମା’ ମଙ୍ଗଳା

କାକଟପୁର,୫।୧୦(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣପୂଜା। ଶନିବାର ମହାଷ୍ଟମୀ ଅବସରରେ ମା’ମଙ୍ଗଳା ମହିଷାମର୍ଦ୍ଦିନୀ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ମା’ଙ୍କ ପୂଜା ପଣ୍ଡା ଲଳିତ କୁମାର ଦୀକ୍ଷିତ କହିଛନ୍ତି। ବିଳମ୍ବିତ ରାତିରେ ସନ୍ଧିପୂଜା ଓ କୁଷ୍ମାଣ୍ଡବଳି ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ପୂଜାପଣ୍ଡା ଦିଗବଳୀକୁ ନେଇ ପ୍ରାଚୀ ଜଳରେ ବିସର୍ଜନ ପରେ ସ୍ନାନକରି ମନ୍ଦିରକୁ ଫେରିଥାନ୍ତି। ମନ୍ଦିର ଗର୍ଭଗୃହ ଦ୍ୱାର ଖୋଲି ବଡସିଂହାର ପଣାକୁ ସିଂହକୁ ସମର୍ପଣ କରିବା ସହିତ କଳସ ଓ ଅଖଣ୍ଡ ଦୀପକୁ ଉଠାଇ ଷୋଡଶ ଦିନାତ୍ମକ ପୂଜାର ପରିସମାପ୍ତି ଘଟାଇଥାନ୍ତି। ତେବେ ରବିବାର ନବମୀ ତିଥିରେ ଶାନ୍ତ ହୋମ ଅନୁଷ୍ଠିତ ହେବା ସହ ମା’ଙ୍କୁ ଶାନ୍ତବେଶରେ ସଜ୍ଜିତ କରାଯିବ ବୋଲି ଜଣାପଡିଛି।