ମହିଳାଙ୍କ ମୃତ୍ୟୁକୁ ନେଇ ଗଣ୍ଡଗୋଳ, ସ୍ବାମୀ ଗିରଫ: ବାପଘର-ଶ୍ୱଶୁର ଘର ଲୋକେ ମୁହାଁମୁହିଁ

ବାଲେଶ୍ୱର ଅଫିସ/ରୂପ୍‌ସା, ୨୧।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ପରମାନନ୍ଦପୁର ଗ୍ରାମର ଜଣେ ମହିଳାଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମଧ୍ୟରାତ୍ରିରେ ମୃତ୍ୟୁ ହୋଇଛି। ଏହାକୁ କେନ୍ଦ୍ର କରି ସୋମବାର ପୂର୍ବାହ୍ନରେ ଡାକ୍ତରଖାନା ପରିସରରେ ମହିଳାଙ୍କ ବାପଘର ଓ ଶ୍ୱଶୁର ଘର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆକ୍ରମଣ ଓ ପ୍ରତିଆକ୍ରମଣରେ ମହିଳାଙ୍କ ଦିଅର ଜିତେନ୍ଦ୍ର ମହାଳିକ ଆହତ ହୋଇଥିଲେ। ଫାଣ୍ଡି ପୋଲିସ ପହଞ୍ଚତ୍ ଯୁବକଙ୍କୁ ଉଦ୍ଧାର କରିଥିଲା। ପୋଲିସ ମୃତ ମହିଳାଙ୍କ ସ୍ବାମୀ, ପରିବାର ଲୋକ ଓ ଆକ୍ରମଣ କରିଥିବା ବାପଘର, ସମ୍ପର୍କୀୟମାନଙ୍କୁ ଅଟକ ରଖି ଆଲୋଚନା କରିଥିଲା। ପରେ ଏନେଇ ବସ୍ତା ଥାନାରେ ଏକ ମାମଲା (ନଂ. ୩୨୩/୧୯) ରୁଜୁ କରି ସ୍ବାମୀ ସତ୍ୟବାନ ମହାଳିକଙ୍କୁ ପୋଲିସ ଗିରଫ କରିଛି।
ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପରମାନନ୍ଦପୁର ଗ୍ରାମର ସତ୍ୟବାନଙ୍କ ସ୍ତ୍ରୀ ସାବିତ୍ରୀ (୩୦) ଘରୋଇ କଳହକୁ କେନ୍ଦ୍ର କରି ରବିବାର ମଧ୍ୟାହ୍ନରେ କନିଅର ମଞ୍ଜି ଖାଇ ଗୁରୁତର ହୋଇଥିଲେ। ଅପରାହ୍ନ ୨ଟା ବେଳେ ତାଙ୍କ ସ୍ବାମୀ ଓ ଶାଶୁ ଚିକିତ୍ସା ଲାଗି ସାବିତ୍ରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। ପ୍ରାୟ ରାତି ଗୋଟାଏ ବେଳେ ଚିକିତ୍ସାଧୀନ ଅବସ୍ଥାରେ ସାବିତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସୋମବାର ପୂର୍ବାହ୍ନରେ ସାବିତ୍ରୀଙ୍କ ଶାଶୁଘର ଓ ପଡ଼ୋଶୀ ଉପସ୍ଥିତ ଥିବା ବେଳେ ବାପଘର ପକ୍ଷରୁ କେତେକ ଲୋକ ସେଠାରେ ପହଞ୍ଚତ୍ ହଠାତ୍‌ ଆକ୍ରମଣ କରିଥିଲେ। ଫଳରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା।