Categories: ଫୁରସତ

ମହିଳାଙ୍କ ମୁହଁରେ ହସ ଫୁଟାଉଛି ଗୋଲାପି ବସ୍‌, ଏଥିରେ ରହିଛି ଅନେକ ସୁବିଧା

ପୁଣେ ସହରରେ ଗୋଲାପି ରଙ୍ଗର ବସ୍‌ ମହିଳାଙ୍କ ମୁହଁରେ ବେଶ୍‌ ହସ ଫୁଟାଇଛି। କାରଣ ଏଥିରେ ମହିଳାଙ୍କ ପାଇଁ ଶୌଚାଳୟ, କ୍ୟାଣ୍ଟିନ୍‌, ଫିଡିଂ ରୁମ୍‌ ଏବଂ ପିଲାଙ୍କ ସାନିଟାରୀ ନାପ୍‌କିନ୍‌ର ସୁବିଧା ରହିଛି। ବର୍ତ୍ତମାନ ଭିଡ଼ ଏବଂ ଲମ୍ବା ଯାତ୍ରାକୁ ନେଇ ଆଉ ମହିଳାମାନେ ଚିନ୍ତା କରିବେ ନାହିଁ । ସହରରେ ସାର୍ବଜନୀନ ଶୌଚାଳୟକୁ ନେଇ ମହିଳାମାନେ ରୋଗ ଭୟରେ ଯାଇ ନ ଥାନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଣେର ଉଲ୍‌କା ସାଦଲ୍‌କର ନାମକ ଜଣେ ମହିଳା ଏପରି ବସ୍‌ ପ୍ରସ୍ତୁତ କରିବା ପାଇଁ ଯୋଜନା କଲେ। ୧.୩ କୋଟି ଖର୍ଚ୍ଚ କରି ସେ ସହରରେ ୧୩ଟି ବସ୍‌ ଚଳାଚଳ କରୁଛନ୍ତି। ଏହି ବସ୍‌ର ନାମ ‘ତି’। ମହିଳାଙ୍କୁ ସମ୍ବୋଧନ କରିବାରେ ‘ତି’ଶବ୍ଦ ବ୍ୟବହାର କରାଯାଇଥାଏ। ବସ୍‌ରେ ଥିବା ଶୌଚାଳୟ ଅନ୍ୟ ଶୌଚାଳୟ ତୁଳନାରେ ସ୍ବତନ୍ତ୍ର ଭାବରେ ନିର୍ମାଣ କରାଯାଇଛି।

ବସ୍‌ର ଆକାର ଅନୁଯାୟୀ, ୩ରୁ ୪ଟି ଇଣ୍ଡିଆନ୍‌ ଟଏଲେଟ୍‌ ଏବଂ ପାଶ୍ଚାତ୍ୟ ଟଏଲେଟ୍‌ ତିଆରି କରାଯାଇଛି। ବସ୍‌ର ଗୋଟିଏ ଭାଗରେ କ୍ୟାଣ୍ଟିନ୍‌ ରହିଛି। ଫଳରେ ମହିଳାମାନଙ୍କୁ ଗାଡ଼ିରୁ ଆଉ ଓହ୍ଲାଇବାକୁ ପଡ଼ିବନି। ସେଠାରେ ସେମାନେ ନିଜ ମନ ପସନ୍ଦର ଖାଦ୍ୟ ଖାଇପାରିବେ। ବସ୍‌ର ସଫେଇ, ସହାୟତା ଏବଂ ଦେଖାଶୁଣା କରିବା ପାଇଁ ଜଣେ ଆଟେଣ୍ଡାଣ୍ଟ ନିୟୋଜିତ ହୋଇଛନ୍ତି।

୨୦୧୬ରେ ଉଲ୍‌କା ତାଙ୍କ ସ୍ବାମୀଙ୍କ ସହ ମିଶି ଏପରି ବସ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ସହରରେ ବସ୍‌ଗୁଡ଼ିକ ୨୦୦ରୁ ୩୦୦ ଥର ଚଳାଚଳ କରୁଛି। ଯେଉଁଥିରୁ ୪୫୦୦୦ ଟଙ୍କା ମିଳୁଛି। ଏଥିରେ ବସ୍‌ କର୍ମଚାରୀଙ୍କ ଦରମା ଖର୍ଚ୍ଚ ଚଳିଯାଉଛି। ଚଳିତବର୍ଷ ଶେଷଆଡ଼କୁ ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ନାଗପୁର ସହରରେ ମଧ୍ୟ ଏପରି ବସ୍‌ ଚଳାଚଳ କରିବ। ଉଲ୍‌କାଙ୍କ ସ୍ବପ୍ନ ରହିଛି ୫ ବର୍ଷ ମଧ୍ୟରେ ୧୦୦୦ ବସ୍‌ ଚଳାଚଳ କରାଇବେ।

Share