Categories: ଜାତୀୟ

ମହିଳାଙ୍କ ମସ୍‌ଜିଦ ପ୍ରବେଶ ଉପରେ କଟକଣା ନାହିଁ

ନୂଆଦିଲ୍ଲୀ,୩୦ା୧: ମସ୍‌ଜିଦରେ ମହିଳାଙ୍କ ପ୍ରବେଶ ଓ ନମାଜ ପାଠ ଉପରେ ଇସ୍‌ଲାମ ଧର୍ମରେ କୌଣସି କଟକଣା ଲଗାଯାଇନାହିଁ। ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସୋନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ମସ୍‌ଜିଦରେ ମହିଳାଙ୍କ ପ୍ରବେଶକୁ ସମର୍ଥନ କରେ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି। ତେବେ ଶୁକ୍ରବାର ସମୂହ ନମାଜପାଠରେ ମହିଳାଙ୍କ ଅଂଶଗ୍ରହଣକୁ ଇସ୍‌ଲାମ ଅନୁମତି ଦେଇନାହିଁ। ମସ୍‌ଜିଦରେ ଏଆଇଏମ୍‌ପିଏଲ୍‌ବି କୌଣସି ନିୟମ ଲାଗୁ କରିପାରିବ ନାହିଁ ବୋଲି କହିଛି। ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି। ତେଣୁ ମହିଳାମାନଙ୍କୁ ମସ୍‌ଜିଦରେ ପ୍ରବେଶ ଓ ନମାଜ ପାଠ ପାଇଁ ପୁରୁଷଙ୍କ ଭଳି ସମାନ ଅଧିକାର ମିଳିବା ଦାବିରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ପୁଣେର ଦମ୍ପତି ୟଶ୍‌ମିନ୍‌ ଜୁବେର ପୀର୍‌ଜାଦେ ଓ ଜୁବେର ଅହମଦ ପୀର୍‌ଜାଦେ ଏହି ପିଆଇଏଲ୍‌ ଦାଏର କରିଥିଲେ। ଇସ୍‌ଲାମର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମହିଳାଙ୍କୁ ମସ୍‌ଜିଦ ପ୍ରବେଶ ଅନୁମତି ଦେଇଥିଲେ ହେଁ ସେମାନଙ୍କୁ ଅଲଗା ସ୍ଥାନରେ ନମାଜ ପଢ଼ିବାକୁ କୁହାଯାଇଥାଏ। ତେବେ ସୁନ୍ନି ସମ୍ପ୍ରଦାୟ ମହିଳାମାନଙ୍କୁ ମସ୍‌ଜିଦ ପ୍ରବେଶ ଲାଗି ଅନୁମତି ଦେଇ ନ ଥାଏ। ଗତବର୍ଷ ଏପ୍ରିଲରେ ସାବରିମାଲା ମାମଲାରେ ଏସ୍‌.ଏ. ବୋବ୍‌ଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଥିଲେ, ଉପାସନା କ୍ଷେତ୍ରରେ ଲିଙ୍ଗଗତ ଭେଦଭାବ ରହିପାରିବ ନାହିଁ। ଏହି ପିଟିଶନ ଉପରେ ପକ୍ଷ ରଖିବାକୁ ଅଦାଲତ ଏଆଇଏମ୍‌ପିଏଲ୍‌ବି, କେନ୍ଦ୍ରୀୟ ଓ୍ବାକଫ୍‌ ବୋର୍ଡ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share