ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଲେ ଲୁଟେରା

ବ୍ରହ୍ମପୁର ଅଫିସ,୧୫।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାରେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଦୈନିକ ୧୯ ଘଣ୍ଟା ଲକ୍‌ଡାଉନ ଘୋଷଣା କରାଯାଇଛି। ଏହାର ସୁଯୋଗ ନେଇ ସୋମବାର ସକାଳେ ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ ହରିକୃଷ୍ଣନଗରରେ ଲୁଟେରାମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ମହିଳାଜଣଙ୍କ ହେଲେ ସାବିତ୍ରୀ।
ପ୍ରକାଶ ଯେ, ସାବିତ୍ରୀ ଭୋର ସମୟରେ ଘର ନିକଟରେ ଥିବା ଗଛରୁ ଫୁଲ ତୋଳୁଥିଲେ। ଏହି ସମୟରେ ଏକ କଳା ପଲସରରେ କେତେଜଣ ଲୁଟେରା ଆସି ସାବିତ୍ରୀଙ୍କ ବେକରୁ ପ୍ରାୟ ୩୦ ଭରି ଓଜନର ଏକ ସୁନା ଚେନ୍‌ ଝାମ୍ପି ନେଇଛନ୍ତି। ସାବିତ୍ରୀ ତଳେ ପଡ଼ିଯିବାରୁ ତାଙ୍କ ଆଣ୍ଠୁ ଓ ବେକରେ ଆଘାତ ଲାଗିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଗୋଶାଣିନୁଆଗାଁ ଥାନା ଇଲାକାରେ ଚାଞ୍ଚଲ୍ୟକର କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା ପରେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ହାର ଝାମ୍ପି ନେଇ ନେବା ପୋଲିସ ପାଇଁ ଚାଲେଞ୍ଜ ହୋଇଛି ।