ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ମିଳୁନି ପରିଚୟ, ହତ୍ୟା ସନ୍ଦେହ

ହାଟଡ଼ିହୀ,୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଶୁକ୍ରବାର ଜନୈକା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦେହର ଅଧିକାଂଶ ଭାଗ ପଚି ଯାଇଥିବାରୁ ତାଙ୍କ ପରିଚୟ ମିଳିପାରି ନାହିଁ।
ପ୍ରକାଶ ଯେ, ଗୁରୁବାର ଉକ୍ତ ବ୍ୟକ୍ତିଙ୍କ ବାଡ଼ିରୁ ଦୁର୍ଗନ୍ଧ ଆସୁ୍‌ଥିବା ନେଇ ଆନନ୍ଦପୁର ଡିଏସ୍‌ପି ବିଦ୍ୟୁତ ଚନ୍ଦ୍ର ପଣ୍ଡାଙ୍କୁ ଖବର ଦିଆଯାଇଥିଲା ା ମାତ୍ର ସେ ଛୁଟିରେ ଥିବାରୁ ଘଟଗାଁ ଡିଏସ୍‌ପି ରବୀନ୍ଦ୍ର ମଲ୍ଲିକଙ୍କୁ ଜଣାଇଥିଲେ। ଡିଏସ୍‌ପି ମଲ୍ଲିକଙ୍କ ନିର୍ଦ୍ଦେଶରେ ନନ୍ଦିପଦା ପୋଲିସ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚିଥିଲା। ଡିଏସ୍‌ପି ମଲିକଙ୍କ ସହ କେନ୍ଦୁଝର ସାଇଣ୍ଟିଫିକ୍‌ ଟିମ୍‌, ଏସ୍‌ଆଇ ସୂର୍ଯ୍ୟକାନ୍ତ ସେଠୀ ଓ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ହାଟଡିହୀ ତହସିଲଦାର ଗାୟତ୍ରୀ ସୋରେନ, ନନ୍ଦିପଦା ଆଇଆଇସି ମାନସ ସ୍ବାଇଁ, ଏସ୍‌ଆଇ ଅରୂପ ସାମଲ ପ୍ରମୁଖ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟା ମାଟି ଖୋଳି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ସ୍ତ୍ରୀ ମଧୁସ୍ମିତା କିଛିଦିନ ହେବ ନିଖୋଜ ଥିବାବେଳେ ଏହା ତାଙ୍କ ମୃତଦେହ ବୋଲି ପୋଲିସ ସନ୍ଦେହ କରୁଛି। ପ୍ରଦୀପଙ୍କ ବାପା ପ୍ରଶାନ୍ତ ଓ ଭାଇ ପ୍ରଭାତଙ୍କୁ ଏ ନେଇ ପଚରାଉଚୁରା କରାଯାଉଛି। ପ୍ରଦୀପ ଫେରାର ଥିବା ଜଣାପଡିଛି। ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।