ମହିଳାଙ୍କ ଆତ୍ମହତ୍ୟା: ସ୍ବାମୀ, ଦିଅର ଅଟକ

ପୁରୁଷୋତ୍ତମପୁର,୧୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ କନକାଠାରେ ୮ମାସ ତଳେ ବିବାହ କରିଥିବା ଜଣେ ମହିଳା ବୁଧବାର ଘରେ ଫ୍ୟାନ୍‌ରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତା ମହିଳା ଜଣକ ହେଲେ ଅର୍ଚ୍ଚନା ପ୍ରଧାନ (୨୫)। ଏହାର ଖବର ପାଇ ପୁରୁଷୋତ୍ତମପୁର ଥାନା ଏସ୍‌ଆଇ ଚମ୍ପାବତୀ ମାରାଣ୍ଡି ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ଥାନାରେ ୩୦/୧୯ରେ ଏକ ଅପମୃତ୍ୟୁ ରୁଜୁ କରିଛନ୍ତି। ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ସୁନିଲ କୁମାର ଟୁଡୁଙ୍କ ଉପସ୍ଥିତିରେ ପଞ୍ଚନାମା କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇଛନ୍ତି। ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଛି। ତାଙ୍କ ଝିଅକୁ ସ୍ବାମୀ, ଶାଶୁ ଓ ଦିଅର ମାରିଦେଇଛନ୍ତି। ଏହି ଅଭିଯୋଗକୁ ନେଇ ପୋଲିସ ସ୍ବାମୀ ଓ ଦିଅରଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରିବାରେ ଲାଗିଛନ୍ତି। ଏହାକୁ ନେଇ ସ୍ବାମୀ ପ୍ରଶାନ୍ତ ପ୍ରଧାନ କହିଛନ୍ତି ଯେ, ସେ ଦିଲ୍ଲୀରେ ରହୁଥିଲେ । ଗତ ଚାରିଦିନ ହେଲା ଗ୍ରାମକୁ ଆସିଛନ୍ତି। ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଫୋନ୍‌ରେ କଥା ହେଉଥିଲେ। ଏହାକୁ ନେଇ ବୁଧବାର ସକାଳେ ତାଙ୍କୁ ତାଗିଦ କରିଥିଲେ। ସେ ବଜାରକୁ ଚାଲିଆସିଥିବା ବେଳେ ତାଙ୍କର ମାଆ ମଧ୍ୟ ବିଲକୁ ଯାଇଥିଲେ। ଭାଇ ଘରେ ନ ଥିଲେ। ଏହି ସମୟରେ ସ୍ତ୍ରୀ ଅର୍ଚ୍ଚନା ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଘଟଣାର ତଦନ୍ତ ଚାଲିଛି। ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଏସ୍‌ଆଇ ଚମ୍ପାବତୀ କହିଛନ୍ତି।