ମହିଳାଙ୍କୁ ଫାଇନାନ୍ସ କର୍ମଚାରୀଙ୍କ ମାଡ଼, ଥାନାରେ ଏତଲା

ବରଗଡ଼ ଅଫିସ୍‌,୨୮ା୫: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନଦୀପଡା (ଡାଙ୍ଗ)ରେ ଶନିବାର ଜଣେ ମହିଳାଙ୍କୁ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାଡ଼ ମାରିଛନ୍ତି। ଏ ନେଇ ମହିଳା ଜଣକ ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ବରଗଡ଼ ସହର ଉପକଣ୍ଠ ନଦୀପଡା(ଡାଙ୍ଗ)ର କିଛି ମହିଳା ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀରୁ ଋଣ ନେଇଥିଲେ। ଋଣ ଟଙ୍କା ମାସକୁ ୨୭ ସହ ଟଙ୍କା ଲେଖାଏଁ ସେମାନେ ପୈଠ କରିଆସୁଥିଲେ। ତେଣୁ ଶନିବାର ଜଣେ ଫାଇନାନ୍ସ କର୍ମଚାରୀ ନଦୀପଡାକୁ ଟଙ୍କା ସଂଗ୍ରହ କରିବାକୁ ଯାଇଥିଲେ। ତେବେ ଜଣେ ମହିଳା ବନିତା ମାଝୀଙ୍କ ମା’ ଓ ଶାଶୁଙ୍କ ଗତ ୧୫ଦିନ ମଧ୍ୟରେ ଦେହାନ୍ତ ହୋଇଥିବାରୁ ତାଙ୍କର ମାସିକ ଦେୟ ପ୍ରଦାନ ବିଳମ୍ବ ହୋଇଥିଲା। ଫାଇନାନ୍ସ କର୍ମଚାରୀ ଟଙ୍କା ଦେବାକୁ ବାଧ୍ୟ କରିବାରୁ ସେ ଉଧାର ଆଣି ଟଙ୍କା ପରିଶୋଧ କରିଥିଲେ। ତେବେ ବିଳମ୍ବ ହେବା ଦର୍ଶାଇ ଫାଇନାନ୍ସ କର୍ମଚାରୀ ଜଣକ ଅଧିକ ୬ଶହ ଟଙ୍କା ନେଇଥିଲେ। କିନ୍ତୁ ରସିଦ ଦେଇ ନ ଥିଲେ। ଅନ୍ୟପକ୍ଷେ ରସିଦ ବଦଳରେ ତାଙ୍କୁ ଜାତି ଆକ୍ଷେପ ସହ ମାଡ ମାରିଥିବା ବନୀତା ପୋଲିସରେ ଅଭିଯୋଗ କରିଛନ୍ତି। ଏତଲା ପାଇବା ପରେ ପୋଲିସ ଏହାର ତଦନ୍ତ କରୁଛି। ମହିଳାଙ୍କୁ ମାଡ ମାରିଥିବା ସମ୍ପୃକ୍ତ ଫାଇନାନ୍ସ କର୍ମଚାରୀଙ୍କୁ ଗିରଫ କରିବାକୁ ନଦୀପଡାର ମହିଳା ସଙ୍ଗଠନ ଦାବି କରିଛି।