ମହିଳାଙ୍କୁ ଅସଦାଚରଣ ମାମଲା: ଜେଲ୍‌ ଗଲେ ପୂର୍ବତନ ସରପଞ୍ଚ

ନିମାପଡ଼ା,୧୪ା୮(ଡି.ଏନ୍‌.ଏ.): ନିମାପଡ଼ା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବା ମାମଲାରେ ସୋମବାର ଜଣେ ପୂର୍ବତନ ସରପଞ୍ଚ ଜେଲ ଯାଇଥିବା ଜଣାପଡିଛି। ସେ ହେଲେ ଚାରିଛକ ଫାଣ୍ଡି ଅଞ୍ଚଳର ଦୁର୍ଯ୍ୟୋଧନ ବାରିକ। ସୂଚନାଥାଉ କି, ନିମାପଡ଼ା ଥାନା ଅଞ୍ଚଳର ଜଣେ ମହିଳାଙ୍କ ସ୍ବାମୀ ଘରେ ନ ଥିବା ବେଳେ ଦୁର୍ଯ୍ୟୋଧନ ପହଞ୍ଚି ତାଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିଲେ। ଏ ନେଇ ସମ୍ପୃକ୍ତା ମହିଳା ଜଣକ ୧୯ ମେ ୨୦୧୯ରେ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୧୨୪/୧୯)ରୁଜୁ କରି ତଦନ୍ତ ଚଳାଇଥିଲା। ସୋମବାର ଦୁର୍ଯ୍ୟୋଧନ ନିମାପଡ଼ା ଜେଏମ୍‌ଏଫସିଙ୍କ କୋର୍ଟରେ ହାଜର ହୋଇ ଜାମିନ ପାଇଁ ଆବେଦନ କରିଥିଲେ। ସେଠାରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ପୁଣି ନିମାପଡ଼ା ଏଡିଜେଙ୍କ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟ ଜାମିନ ଆବେଦନକୁ ନାମଞ୍ଜୁର କରି ତାଙ୍କୁ ଜେଲ ପଠାଇ ଦେଇଥିଲେ। ନିମାପଡ଼ାରେ ଦୁର୍ଯ୍ୟୋଧନ ଆଇନଜୀବୀ ଭାବେ କାର୍ଯ୍ୟ କରନ୍ତି।