ମହିଳାଙ୍କୁ ଅସଦାଚରଣ, ପର୍ସ ଛଡ଼ାଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ସମ୍ପର୍କରେ ଫାଟ ଆସିବା ପରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ପର୍ସ ଓ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିବା ଅଭିଯୁକ୍ତଙ୍କୁ ଏୟାରପୋର୍ଟ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୋଖରୀପୁଟ ଭୋଇସାହି ଅଞ୍ଚଳର ଗଣେଶ ସାମଲ (୩୫)।
ସୂଚନା ମୁତାବକ, ଗଣେଶ ପୋଖରୀପୁଟ ଅଞ୍ଚଳର ଗୋଟିଏ ଘରୋଇ କଲେଜରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି। ଅଭିଯୋଗ ଆଣିଥିବା ମହିଳା ଉକ୍ତ କଲେଜ ନିକଟରେ ଥିବା ଜଣଙ୍କ ଘରକୁ କାମ କରିବାକୁ ଯା’ନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ କୌଣସି କାରଣରୁ ଗଣେଶଙ୍କ ସହ ସମ୍ପର୍କ ରଖି ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗଣେଶ ଗୁରୁବାର ସନ୍ଧ୍ୟାରେ ମହିଳାଙ୍କୁ ବାଟରେ ଅଟକାଇ କଥା ହେବାକୁ ବାଧ୍ୟ କରିଥିଲେ। ସେ ଅରାଜି ହେବାରୁ ତାଙ୍କୁ ଅସଦାଚରଣ କରିବା ସହ ତାଙ୍କ ପର୍ସ ଓ ମୋବାଇଲ ଫୋନ୍‌ ଛଡାଇ ନେଇଥିଲେ। ଏ ସଂକ୍ରାନ୍ତ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ଏକ କେସ୍‌ (ନଂ. ୪୩/୨୦) ରୁଜୁ କରି ତଦନ୍ତ କରିଥିଲା। ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।