ମହିଳାଙ୍କଠାରୁ ୪୦ ହଜାର ଟଙ୍କା ଲୁଟ୍‌ ଘଟଣା: ୩ ମାସ ପରେ ୨ କୋର୍ଟ ଚାଲାଣ

ବଡ଼ବିଲ,୨୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଷ୍ଟେଟ୍‌ବ୍ୟାଙ୍କ ଶାଖାରୁ ଜଣେ ମହିଳା ୪୦ ହଜାର ଟଙ୍କା ଉଠାଣ କରି ଫେରୁଥିବା ବେଳେ ଲୁଟ୍‌ ହୋଇଥିଲା। ଏହି ଘଟଣାର ୩ ମାସ ପରେ ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ପୋଲିସ ସେମାନଙ୍କ ନିକଟରୁ ମୋଟ୍‌ ନଗଦ ୪୦ହଜାର ଟଙ୍କା ଜବତ କରିବା ସହ ଲୁଟ୍‌ ଘଟଣାରେ ବ୍ୟବହୃତ ଏକ ବାଇକ୍‌କୁ ମଧ୍ୟ ଜବତ କରିଛି।
ମିଳିଥିବା ସୂଚନାନୁଯାୟୀ, ଏହି ଥାନା ଅନ୍ତର୍ଗତ କାଶିଆ-ଖ ଗ୍ରାମରେ ରହୁଥିବା ନାମସିଂ ମୁଣ୍ଡା ଗତ ସେପ୍ଟେମ୍ବର ୧୬ ତାରିଖରେ ଷ୍ଟେଟ୍‌ବ୍ୟାଙ୍କ ଭଦ୍ରାସାହି ଶାଖାରୁ ୪୦ ହଜାର ଟଙ୍କା ଉଠାଣ କରି ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ। ହଠାତ୍‌ ୨ ଲୁଟେରା ଆଖି ପିଛୁଳାକେ ସମସ୍ତ ଟଙ୍କା ଲୁଟିନେଇ ପଳାଇଥିଲେ। ଏ ନେଇ ବଡ଼ବିଲ ଥାନାରେ କେସ୍‌ ନଂ. ୧୭୯/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା। ଦୀର୍ଘ ୩ ମାସ ୧୪ ଦିନ ପରେ ପୋଲିସ ଉକ୍ତ ଲୁଟ୍‌ ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବଡ଼ବିଲ ସୟାବାଲି ଅଞ୍ଚଳର ପ୍ରଶାନ୍ତ କୁମାର ବାରିକ ଓ ସୁନ୍ଦରଗଡ଼ ଜିଲା କୋଇଡା କମଣ୍ଡୋ ଅଞ୍ଚଳର ହରିହର ଘଣା ବୋଲି ଜଣାପଡ଼ିଛି। ଆଇଆଇସି କହିଛନ୍ତି, ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଘଣାଙ୍କ ନିକଟରୁ ୧୨ ହଜାର ୫୦୦ ଟଙ୍କା ଏବଂ ଓଡି ୧୪ ପି୨୮୬୧ ନମ୍ବର ବିଶିଷ୍ଟ ପଲସର ବାଇକ ଜବତ କରାଯାଇଥିବା ବେଳେ ପ୍ରଶାନ୍ତଙ୍କ ନିକଟରୁ ୨୭ ହଜାର ୫୦୦ ଟଙ୍କା ଜବତ କରାଯାଇଛି। ତେବେ ଉଭୟଙ୍କର ଟିଆଇ ପରେଡ କରାଯିବ ବୋଲି ପୋଲିସ ସୂଚନା ଦେଇଛି।