ମହିମାନନ୍ଦ ମିଶ୍ରଙ୍କୁ ଜାମିନ: ତଳକୋର୍ଟ ନିର୍ଦ୍ଧାରଣ କରିବେ ଜାମିନ ସର୍ତ୍ତ

କଟକ ଅଫିସ, ୧୪ା୧୧- ପାରାଦୀପ ସିୱେଜ ଶିପିଙ୍ଗ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ହାଇକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ଏଥିସହ ତଳକୋର୍ଟ ଜାମିନ ସର୍ତ୍ତ ରଖିବେ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି। ଶୁକ୍ରବାର କୁଜଙ୍ଗ କୋର୍ଟରେ ମହିମାନନ୍ଦଙ୍କ ଶୁଣାଣି ରହିଥିବାରୁ ସେ ଜାମିନ ସର୍ତ୍ତ ପୂରଣ କରି ଜେଲ୍‌ରୁ ବାହାରିବା ସମ୍ଭାବନା ରହିଛି ବୋଲି ତାଙ୍କ ଓକିଲ ଜୟଦୀପ ପାଲ୍‌ କହିଛନ୍ତି। ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଜାମିନ ପାଇଁ ମହିମାନନ୍ଦ ତଳ କୋର୍ଟଠୁ ଆରମ୍ଭ କରି ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଅନେକଥର ଆବେଦନ କରି ବିଫଳ ହୋଇଥିଲେ। ଶେଷରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଦେବବ୍ରତ ଦାଶଙ୍କ ଖଣ୍ଡପୀଠ ତାଙ୍କୁ ଜାମିନ ଦେଇଛନ୍ତି। ଗତ ସେପ୍ଟେମ୍ବରରେ ହାଇକୋର୍ଟ ମହିମାନନ୍ଦଙ୍କୁ ତଳ କୋର୍ଟରେ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଅକ୍ଟୋବର ୪ରେ ତଳକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ମହିମାନନ୍ଦ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାଥାଉ କି, ୨୦୧୬ ଅକ୍ଟୋବର ୨୬ରେ ପାରାଦୀପ ସିୱେଜ ଶିପିଙ୍ଗ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ବାଇଁଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିଲେ। ଏ ନେଇ ମହେନ୍ଦ୍ରଙ୍କ ବଡ଼ଭାଇ ରାଜକିଶୋର ସ୍ବାଇଁ ପାରାଦୀପ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମହିମାନନ୍ଦଙ୍କ ସମେତ ଓଡ଼ିଶା ଷ୍ଟିବେଡର୍ସ ଲିମିଟେଡ୍‌(ଓଏସ୍‌ଏଲ୍‌)ର ଅନ୍ୟ ଅଧିକାରୀଙ୍କ ନାମରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଥିଲା। ଏଥିସହ ୧୬ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ମହିମାନନ୍ଦଙ୍କୁ ୨୦୧୬ ଡିସେମ୍ବର ୨୫ରେ ବ୍ୟାଙ୍କକ୍‌ରୁ ଗିରଫ କରିଥିଲା। ୨୦୧୭ ଜୁଲାଇରେ ହାଇକୋର୍ଟରୁ ମହିମାନନ୍ଦଙ୍କୁ ଜାମିନ ମିଳିଥିବାବେଳେ ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଥିଲେ।