Categories: ବାଣିଜ୍ୟ

ମହିନ୍ଦ୍ରାକୁ ସମ୍ପତ୍ତି ବିକି ଦେଶ ଛାଡ଼ିବ ଫୋର୍ଡ

ନୂଆଦିଲ୍ଲୀ,୨୬ା୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ତଥା ପ୍ରତିଯୋଗିତାର ସମ୍ମୁଖୀନ ହୋଇ ନ ପାରିବା କାରଣରୁ ଫୋର୍ଡ ମୋଟର କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଏହା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସହ ଆରମ୍ଭ ହେବାକୁ ଥିବା ଯୁଗ୍ମ କମ୍ପାନୀକୁ ନିଜର ସମସ୍ତ ସମ୍ପତ୍ତି ବିକ୍ରି କରିଦେବ। ଭାରତରେ ଏହା ଦୁଇ ଦଶନ୍ଧି ଧରି କାରବାର କରୁଥିଲେ ସୁଦ୍ଧା ଅଦ୍ୟାବଧି ନିଜର ଅସ୍ତିତ୍ୱ ବଜାୟ ରଖିବାକୁ ସଂଘର୍ଷ କରି ଆସୁଥିବାରୁ କମ୍ପାନୀ ଭାରତ ଛାଡ଼ିବାକୁ ଯାଉଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ନୂଆକରି ଗଠନ ହେବାକୁ ଥିବା କମ୍ପାନୀରେ ମହିନ୍ଦ୍ରାର ୫୧% ଅଂଶଧନ ରହିବ। ତେବେ ନୂଆ କମ୍ପାନୀ ବୋର୍ଡରେ ଫୋର୍ଡର ଭୋଟ୍‌ ଦେବାର ଅଧିକାର ରହିବ ଏବଂ ବୋର୍ଡରେ ଏହାର ପ୍ରତିନିଧି ରହିବେ ବୋଲି ଜଣାପଡିଛି। ଆସନ୍ତା ସପ୍ତାହରେ ନୂଆ କମ୍ପାନୀ ଘୋଷଣା କରାଯିବ। ଫୋର୍ଡ ଗ୍ଲୋବାଲ ଭାରତରେ ଅଦ୍ୟାବଧି ୨ ବିଲିୟନ ଡଲାର ନିବେଶ କରି ବଜାର ଅଂଶର ପ୍ରାୟ ୩% ପର୍ଯ୍ୟନ୍ତ ହାସଲ କରିପାରିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ସୂଚନାଥାଉ କି, ଫୋର୍ଡର ସିଇଓ ଜିମ୍‌ ହ୍ୟାକେଟ୍‌ ସାରା ବିଶ୍ୱରେ ଥିବା କମ୍ପାନୀର ୧୧ ବିଲିୟନ ଡଲାର ସମ୍ପତ୍ତି ପୁନର୍ଗଠନ କରୁଛନ୍ତି। ସୂଚନାଥାଉ କି, ଦୀର୍ଘଦିନ ହେବ ଭାରତର ଅଟୋ ବଜାରରେ ସୁଜୁକି ମୋଟର କର୍ପ ସହ ଫୋର୍ଡ ମୋଟର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରୁନାହିଁ। ଭାରତୀୟ ବଜାରରେ ଲୋକଙ୍କ ଚାହିଦା ସହ ତାଳ ଦେଇ ଚାଲି ନ ପାରିବା କାରଣରୁ ଜେନେରାଲ ମୋଟର୍ସ କମ୍ପାନୀ ଦୁଇବର୍ଷ ପୂର୍ବେ ଭାରତ ଛାଡ଼ି ଚାଲିଯାଇଛି। ଏହା ପୂର୍ବରୁ ସେଭ୍ରୋଲେ ମଡେଲ ବିକ୍ରି ବନ୍ଦ କରିଦେଇଥିଲା। ଅଟୋ ସେକ୍ଟରରେ ଗତ ୧୦ ମାସ ହେବ ମାନ୍ଦାବସ୍ଥାର ପ୍ରଭାବ ଅନୁଭବ ହେଉଥିବାରୁ ଗାଡ଼ି ବିକ୍ରି କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଭାରତରେ ଫୋର୍ଡର ଅଧିକାଂଶ ସମ୍ପତ୍ତି ନୂଆ କମ୍ପାନୀ ହାତରେ ରହିବ। ତନ୍ମଧ୍ୟରେ ଏହାର ଦୁଇଟି କାର୍‌ କାରଖାନା ରହିଛି। ୧୯୯୦ରେ ଅର୍ଥନୀତିର ଉଦାରୀକରଣ ଆରମ୍ଭ ହେବା ପରେ ଫୋର୍ଡ ପ୍ରଥମ ବିଦେଶୀ କାର୍‌ କମ୍ପାନୀ ଭାବେ ଭାରତରେ ପ୍ରବେଶ କରିଥିଲା। ପୂର୍ବରୁ ଏହା ଭାରତରେ ୧୯୨୬ରେ ପ୍ରବେଶ କରି ୧୯୫୦ରେ ଫେରି ଯାଇଥିଲା।

Share