Categories: ଜାତୀୟ

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ: ଏନ୍‌ସିପିକୁ ମିଳିଲା ଅର୍ଥ ଓ ଗୃହ

ମୁମ୍ବାଇ,୫।୧ପି.ଟି.): ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି। ଏହି ତାଲିକା ଶନିବାର ସନ୍ଧ୍ୟାରେ ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀଙ୍କ ନିକଟକୁ ପଠାଯାଇଥିବା ଏନ୍‌ସିପି ନେତା ତଥା ମନ୍ତ୍ରୀ ଜୟନ୍ତ ପାଟିଲ ପ୍ରକାଶ କରିଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧଭାବେ ଘୋଷଣା କରାଯିବ। ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନରେ ବିଳମ୍ବ ଯୋଗୁ ମହାରାଷ୍ଟ୍ର ସରକାରଙ୍କୁ ଭାଜପା ପକ୍ଷରୁ ସମାଲୋଚନା କରାଯାଉଥିଲା। ମିଳିଥିବା ସୂଚନା ଅନୁଯାୟୀ ଏନ୍‌ସିପି ନେତା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିବାକୁ ଥିବାବେଳେ ଅନିଲ ଦେଶମୁଖଙ୍କୁ ଗୃହ ମନ୍ତ୍ରଣାଳୟ ମିଳବ ବୋଲି ଜଣାପଡିଛି। ଶିବସେନା ମୁଖ୍ୟମନ୍ତ୍ରୀ ପଦ ସହ ନଗର ଉନ୍ନୟନ ମନ୍ତ୍ରଣାଳୟ ରଖିଛି। ଆଦିତ୍ୟ ଠାକ୍‌ରେଙ୍କୁ ପରିବେଶ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ମିଳିଛି। କଂଗ୍ରେସକୁ ରାଜସ୍ବ, ପୂର୍ତ୍ତ ଓ ଶକ୍ତି ମନ୍ତ୍ରଣାଳୟ ମିଳିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କେତେକ ନୂଆ ବିଭାଗ କଥା ଚିନ୍ତା କରିଥିବାରୁ ଏଥିଲାଗି ବିଳମ୍ବ ହେଉଥିବା ଏନ୍‌ସିପି ନେତା ନଓ୍ବାବ ମଲିକ ପ୍ରକାଶ କରିଛନ୍ତି। ସୋମବାର ସୁଦ୍ଧା ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ ପ୍ରକ୍ରିୟା ଶେଷ ହୋଇଯିବ ବୋଲି ସେ କହିଛନ୍ତି।

Share