ମହାରାଷ୍ଟ୍ରରେ ୧୨୭୩ ପୋଲିସ କରୋନା ପଜିଟିଭ୍‌

ମୁମ୍ବାଇ,୧୮।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ଲଢ଼େଇରେ ଆଗଧାଡ଼ିରେ ଥିବା କରୋନା ଯୋଦ୍ଧା, ପୋଲିସଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ଏଭଳି କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ରାଜ୍ୟର ୧୨୭୩ ପୋଲିସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପିଜିଟିଭ୍‌ ଆସିଛି। ଏନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସୋମବାର ଏକ ସୂଚନା ଜାରି ହୋଇଛି। ସେମାନଙ୍କ ମଧ୍ୟରେ ୧୩୧ ଜଣ ଅଧିକାରୀ ଥିବାବେଳେ ୧୧୪୨ ଜଣ ପୋଲିସ ବାହିନୀର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ରାଜ୍ୟ ପୋଲିସ ବାହିନୀରେ କାର୍ଯ୍ୟ କରୁଥିବା ୧୧ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୯୧ ସଂକ୍ରମିତ କର୍ମଚାରୀ ସୁସ୍ଥ ହୋଇ ଘରକୁ ଫେରିଥିବା ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି।

Share