Categories: ଖେଳ

ମହାମାରୀ ସତ୍ତ୍ୱେ ବ୍ରାଜିଲ ଚାମ୍ପିୟନଶିପ୍‌ ଆରମ୍ଭ ହେବ

ସାଓ ପାଉଲୋ,୨୬।୬ (ଏପି): କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିବା ସତ୍ତ୍ୱେ ଲାଟିନ୍‌ ଆମେରିକାର ଫୁଟବଲ ପାଓ୍ବାରା ହାଉସ୍‌ କୁହାଯାଉଥିବା ବ୍ରାଜିଲରେ ମୁଖ୍ୟ ଚାମ୍ପିୟନଶିପ୍‌ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୯ ତାରିଖରୁ ଦେଶର ଏହି ସର୍ବବୃହତ୍‌ ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ କରିବାକୁ ବ୍ରାଜିଲିଆନ ସକର କ୍ଲବ୍‌ଗୁଡିକ ନିଷ୍ପତ୍ତି ନେଇଛନ୍ତି। ମହାମାରୀର ଭୟାଭୟତା ଶୀର୍ଷକୁ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଥିଲେ ମଧ୍ୟ କ୍ଲବ୍‌ଗୁଡିକ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରତିଯୋଗିତା ପ୍ରଥମେ ମେ’ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ମହମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା।
ଦୁଇଟି ମୁଖ୍ୟ ଡିଭିଜନ୍‌ର ୪୦ଟି କ୍ଲବ୍‌ର ପ୍ରତିନିଧିମାନେ ଏକ ବୈଠକରେ ବସି ଗୁରୁବାର ତାରିଖ ଓ ହେଲ୍‌ଥ ପ୍ରୋଟୋକଲ ନେଇ ଆଲୋଚନା କରିବା ସହମତି ପ୍ରକାଶ କରିଛନ୍ତି ବୋଲି ବ୍ରାଜିଲ ସକର କନ୍‌ଫେଡେରେଶନ ତରଫରୁ କୁହାଯାଇଛି। ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଅନୁମତି ଉପରେ ସବୁକିଛି ନିର୍ଭର କରୁଛି। ବ୍ରାଜିଲ୍‌ରେ ଏପର୍ଯ୍ୟନ୍ତ କୋଭିଡ୍‌-୧୯ ମହାମାରୀ କାରଣରୁ ୫୫,୦୦୦ ମୃତ୍ୟୁବରଣ କରିଥିବା ବେଳେ ୧୨ ଲକ୍ଷ ସଂକ୍ରମିତ ହୋଇଛନ୍ତି। ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ବ୍ରାଜିଲ ଆମେରିକା ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିଛି। ଘରୋଇ ସହରରେ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲେ ୨୦ରୁ ୧୯ଟି କ୍ଲବ ଅନ୍ୟ ସହରରେ ଖେଳିବାକୁ ରାଜି ହୋଇଛନ୍ତି ବୋଲି କନ୍‌ଫେଡେରେଶନ ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ବ୍ରାଜିଲ୍‌ରେ ଫୁଟବଲ ଆଂଶିକ ଭାବେ ପ୍ରତ୍ୟାବର୍ତ୍ତନ କରିଛି। ୩ ମାସ ସ୍ଥଗିତ ରହିବା ପରେ କେବଳ ସ୍ଥାନୀୟ ଲିଗ୍‌ ମ୍ୟାଚ୍‌ ରିଓ ଡି ଜେନିରୋରେ ଖେଳାଯାଇଛି।

Share