ମହାମାରୀ ପରିଚାଳନା ସମ୍ବନ୍ଧିତ ଦସ୍ତାବିଜ ପ୍ରସ୍ତୁତ କରିବେ ସରକାର

ଭୁବନେଶ୍ୱର,୧୦।୬(ବ୍ୟୁରୋ): କରୋନା ପରିଚାଳନା ସମ୍ବନ୍ଧିତ ଦସ୍ତାବିଜ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି। ତ୍ରିପାଠୀ କହିଛନ୍ତି, କରୋନା ମନାବ ଇତିହାସର ଏକ ସଙ୍କଟ। ଏହାର ପ୍ରକୃତି ଏବଂ ଗତି ମଧ୍ୟ ବହୁଧା ବିବର୍ତ୍ତନଶୀଳ। ଏହାର ମୁକାବିଲା ଓ ପରିଚାଳନା ସମ୍ବନ୍ଧିତ ଦସ୍ତାବିଜ ଆସନ୍ତା ଦିନରେ ଭାରତରେ ଜନସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଦୃଢିଭୂତ କରିବ। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ, ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ ସିଂ ଦସ୍ତାବିଜ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆଲୋଚନା ଲାଗି ତଥ୍ୟ ଉପସ୍ଥାପନ କରିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନସଚିବ ପ୍ରଦୀପ କୁମାର ଜେନା ଦସ୍ତାବିଜ ପ୍ରସ୍ତୁତି ସମ୍ପର୍କରେ ସାଙ୍କେତିକ ଟେମ୍ପଲେଟ ଉପସ୍ଥାପନ କରିଛନ୍ତି। ବିଭିନ୍ନ ବିଭାଗଗୁଡିକ ନିଜ ପ୍ରସ୍ତୁତିର ଏକ ମୌଳିକ ଦସ୍ତାବିଜ ଜୁନ୍‌ ଶେଷସୁଦ୍ଧା ପ୍ରସ୍ତୁତି କରିବା ସହିତ ପରବର୍ତ୍ତୀ ସ୍ଥିତି ଅନୁଯାୟୀ ନୂତନ ପଦକ୍ଷେପ ସେଥିରେ ଲିପିବଦ୍ଧ ହେବ ବୋଲି ଜଣାପଡ଼ିଛି।