ମହାପ୍ରଭୁଙ୍କ ଦୁଗ୍ଧ ମେଲାଣ ନୀତି ସମ୍ପନ୍ନ

ପୁରୀ ଅଫିସ, ୧୪-୧: ମକରସଂକ୍ରାନ୍ତି ପୂର୍ବଦିନକୁ ନବାଙ୍କ କୁହାଯାଏ। ନବାଙ୍କ ପୂର୍ବଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁଗ୍ଧ ମେଲାଣ ନୀତି ଅନୁଷ୍ଠିତ ହେବାର ବିଧି ରହିଛି। ତେଣୁ ସୋମବାର ମହାପ୍ରଭୁଙ୍କ ଦୁଗ୍ଧ ମେଲାଣ ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରେ ଦ୍ୱିପହର ଧୂପ ବଢିବା ପରେ ରାମକୃଷ୍ଣ ଆଜ୍ଞାମାଳପ୍ରାପ୍ତ ହୋଇ ଘଣ୍ଟ, ଛତା ଓ କାହାଳୀ ପଟୁଆରରେ ପାଲିଙ୍କିରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସମ୍ମୁଖରେ ବିଜେ ହୋଇଥିଲେ। ତାଙ୍କ ସହିତ ଲେଙ୍କା, ଆସ୍ଥାନ ପଢିଆରୀ, ମହାଭୋଇ, ପୂଜାପଣ୍ଡା ସାମନ୍ତ, ମହାଜନ, ଭିତରଚ୍ଛ ସେବକ ଆସିଥିଲେ। ମହାଭୋଇ ସେବକ ମଠ ସମ୍ମୁଖରେ ବନ୍ଧାଯାଇଥିବା ଗାଈଠାରୁ ରୁପା ପିଙ୍ଗଣରେ ଦୁଗ୍ଧ ଦୁହିଁଥିଲେ। ଏହି କ୍ଷୀରକୁ ଦୁଇ ଭାଗ କରାଯାଇଥିଲା। ଗୋଟିଏ ଭାଗରେ ଲେଙ୍କା କର୍ପୁର ପକାଇ ଅମୁଣିଆ ପ୍ରସାଦ ପ୍ରସ୍ତୁତ କରି ଭିତରଛଙ୍କୁ ପ୍ରଦାନ କରିଥିଲେ। ଏହାପରେ ଭିତରଚ୍ଛ ଠାକୁରଙ୍କୁ କ୍ଷୀର ମଣୋହୀ କରିଥିଲେ। ଆଉ ଗୋଟିଏ ଭାଗ କ୍ଷୀରକୁ ମହାଭୋଇ ସେବକ ମାଟି ଗଡୁରେ ଶିକାରେ ବସାଇ ଶ୍ରୀମନ୍ଦିରକୁ ନେଇଥିଲେ। ଏହାପରେ ପୂଜାପଣ୍ଡା ସାମନ୍ତ ମଠର ପନ୍ତି ଆସ୍ଥାନରେ ପନ୍ତି ସମ୍ପନ୍ନ କରିଥିଲେ। ଗଡ଼ୁରେ ଯାଇଥିବା କ୍ଷୀରରେ ଦହି ପ୍ରସ୍ତୁତ ହୋଇ ମକର ସଂକ୍ରାନ୍ତି ନୀତିରେ ଲାଗି ହେବ।