Categories: ପୁରୀ

ମହାପ୍ରଭୁଙ୍କୁ ଦର୍ଶନ କଲେ ଲାବଣ୍ୟା

ପୁରୀ ଅଫିସ, ୪ା୮: ସର୍ବାଭାରତୀୟ ସ୍ତରରେ ଅନୁଷ୍ଠିତ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ ୨୦୧୯ ମୁକୁଟ ବିଜୟିନୀ ଲାବଣ୍ୟା ଦାସ ଶନିବାର ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ନିଜ ଦକ୍ଷତା ଓ ପ୍ରତିଭା ବଳରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ହାସଲ କରିଥିବା ଲାବଣ୍ୟା ମହାପ୍ରଭୁଙ୍କ ଦର୍ଶନ କରି ଭାବ ବିହ୍ବଳ ହୋଇପଡ଼ିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ବେଳେ ସିଂହଦ୍ୱାର ନିକଟରେ ଗଣମାଧ୍ୟମକୁ ଲାବଣ୍ୟା କହିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ କୋଟି ଓଡ଼ିଆଙ୍କ ପ୍ରେରଣାରୁ ଏହି ପ୍ରତିଯୋଗିତାରେ ବିଜୟ ହାସଲ କରିଛି। ମୋର ଏହି ବିଜୟ ଓଡ଼ିଶାବାସୀଙ୍କର। ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ସ୍ନେହ ଓ ଶ୍ରଦ୍ଧା ରହିଲେ, ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ବିଜୟ ଲାଭ କରିବି। ସେ ଓଡ଼ିଶାର କଳା,ସଂସ୍କୃତି ଓ ଐତିହ୍ୟ ପରମ୍ପରା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ଜଜ୍‌ମାନଙ୍କ ମନ ଜିଣିଥିଲେ। ଭବିଷ୍ୟତରେ ଜଣେ ଆଇଏଏସ୍‌ ହେବାକୁ ଲକ୍ଷ୍ୟ ରଖିଥିବା ଲାବଣ୍ୟା ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। ପୂର୍ବରୁ ସେ ଥାଇଲାଣ୍ଡରେ ଅନୁଷ୍ଠିତ ପ୍ରିନ୍ସ ଆଣ୍ଡ ପ୍ରିନ୍ସେସ ଇଣ୍ଟରନ୍ୟାଶନାଲ ପୁରସ୍କାର ପାଇଥିଲେ।