ମହାନଦୀ, ପୋଲାଭରମ୍‌ ପ୍ରସଙ୍ଗ ଉଠାଇଲା ବିିଜେଡି

ଭୁବନେଶ୍ୱର,୮ା୨(ବ୍ୟୁରୋ): ଓଡ଼ିଶା ଜଳ ପାଇଁ ସଂଘର୍ଷ କରୁଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ରାଜ୍ୟରେ ଜଳପ୍ରବାହ ପ୍ରଭାବିତ ହେଉଛି। ଏହା ସିଧାସଳଖ ୨ କୋଟି ଓଡ଼ିଆଙ୍କ ଜନଜୀବନଙ୍କୁ ପ୍ରଭାବିତ କରୁଥିବା ବିଜେଡି ଏମ୍‌ପି ସସ୍ମିତ ପାତ୍ର ଶୁକ୍ରବାର ରାଜ୍ୟ ସଭାରେ କହିଛନ୍ତି। ଏହି ଆନ୍ତଃ ରାଜ୍ୟ ଜଳ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ୨୦୧୬ରେ ସୁପ୍ରିମକୋର୍ଟରେ ପିଟିସନ୍‌ ମଧ୍ୟ ଫାଇଲ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଏହାର ବିଚାର କରି ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା, ଇତି ମଧ୍ୟରେ ଏହାକୁ ୨ ବର୍ଷ ବିତିଗଲାଣି। ହେଲେ ଦୁଇ ବର୍ଷରେ ଜଳ ବିବାଦର କୌଣସି ସମାଧାନ ବାହାରିପାରି ନ ଥିବା ସସ୍ମିତ କହିଥିଲେ। ତେଣୁ ରାଜ୍ୟର ଚାଷୀ, ମତ୍ସ୍ୟଜୀବୀ ଜଳ ପାଇଁ ଅସୁବିଧା ଭୋଗୁଛନ୍ତି। ଟ୍ରିବ୍ୟୁନାଲ ନାମକୁ ମାତ୍ର କାର୍ଯ୍ୟ କରୁଥିବା ମନେ ହେଉଛି। ତେଣୁ ଟ୍ରିବ୍ୟୁନାଲ ତୁରନ୍ତ ଯେପରି ସମସ୍ୟାର ସମାଧାନର ରାସ୍ତା ବାହାର କରିବ, ସେଥିପ୍ରତି ପଦକ୍ଷେପ ନେବାକୁ ସସ୍ମିତ ରାଜ୍ୟ ସଭା ଅଧ୍ୟକ୍ଷଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ। ଅନୁରୂପଭାବେ ପୋଲାଭରମ୍‌ ପ୍ରସଙ୍ଗରେ ମଧ୍ୟ ସସ୍ମିତ ଉଚ୍ଚ ସଦନର ଧ୍ୟାନ ଆକର୍ଷଣ କରିଥିଲେ। ସସ୍ମିତ କହିଥିଲେ, ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ରାଜ୍ୟର ୬ ହଜାର ଆଦିବାସୀ ଜଳମଗ୍ନ ହୋଇଯିବେ। ସୁପ୍ରିମକୋର୍ଟରେ ମଧ୍ୟ ମାମଲା ରହିଛି, ତେଣୁ କେନ୍ଦ୍ର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉ ବୋଲି ସସ୍ମିତ କହିଥିଲେ। ସେ ମାତୃଭାଷା ଓଡ଼ିଆରେ ବକ୍ତବ୍ୟ ରଖିଥିବାରୁ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ତାଙ୍କୁ ପ୍ରଶଂସା କରିଥିଲେ। ଭେଙ୍କାୟା ପୂର୍ବରୁ ମଧ୍ୟ ୨ ଥର ସସ୍ମିତଙ୍କୁ ପ୍ରଶଂସା କରିସାରିଛନ୍ତି।