ମହାନଦୀ ପଠାରୁ ଖସୁଛି ଅତଡ଼ା: ପଥର ପ୍ୟାକିଂ, ବୃକ୍ଷରୋପଣ ଦାବି

ତିର୍ତ୍ତୋଲ,୧୪ା୬(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଦେଇ ପ୍ରବାହିତ ମହାନଦୀର ଦକ୍ଷିଣ ପାର୍ଶ୍ୱ ବାଲିପାଟଣାଠାରୁ ତିର୍ତ୍ତୋଲ ପର୍ଯ୍ୟନ୍ତ ନଦୀପଠାରୁ ବ୍ୟାପକ ଅତଡ଼ା ଖସୁଛି। ନଦୀ ଶଯ୍ୟାରୁ ଅବାଧ ବାଲି ଉତ୍ତୋଳନ ଓ ପଠାରେ ଥିବା ସବୁଜିମା ଉଜୁଡ଼ିଯିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ଏହି ସ୍ଥାନରେ ପଥର ପ୍ୟାକିଂ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପ୍ରକାଶ ଯେ, ବାଲିପାଟଣାରୁ ତିର୍ତ୍ତୋଲ ୪ କିମି ମଧ୍ୟରେ ଗତ କିଛିବର୍ଷ ହେଲା ମହାନଦୀ ପଠାରୁ ଅତଡ଼ା ଖସିଚାଲିଛି। ବିଶେଷ କରି ତିର୍ତ୍ତୋଲ-ପୋଷଲ ଘାଟ ନିକଟରେ ଅଧିକ ମାଟି ଅତଡ଼ା ଖସୁଥିବା ଦେଖାଯାଇଛି। ଏହି ସ୍ଥାନରେ ବିଗତ ୫ବର୍ଷ ମଧ୍ୟରେ ନଦୀପଠା ପ୍ରାୟ ୨୦୦ ମିଟରରୁ ଅଧିକ ଖାଇଗଲାଣି। ଫଳରେ ଏଠାରେ ନଦୀ ଦକ୍ଷିଣ ମୁହଁା ହେଲାଣି। ବନ୍ୟା ଆସିବା ସମୟରେ ନଦୀ ଅଧିକ ମାତ୍ରାରେ କୂଳ ଖାଉଛି। ଏଥିଯୋଗୁ ନଦୀର ବାମପାର୍ଶ୍ୱରେ ବାଲିସ୍ତୁପ ସୃଷ୍ଟି ହେଉଥିବାବେଳେ ଦକ୍ଷିଣ ପାର୍ଶ୍ୱ ନଦୀଗର୍ଭରେ ଲୀନ ହେବାରେ ଲାଗିଛି। ଏଭଳି ସ୍ଥିତି ଲାଗି ରହିଲେ କିଛିବର୍ଷ ମଧ୍ୟରେ ମହାନଦୀ ସୀମା ଦକ୍ଷିଣରେ ଥିବା କଟକ-ପାରାଦୀପ ରାସ୍ତା କଡକୁ ଲାଗି ଆସିବ। ଏହା ତିର୍ତ୍ତୋଲ, ତେନ୍ତୁଳିପଦା, ଜଡତିରା, ତରଜଙ୍ଗା, ମଣିଜଙ୍ଗା ପଞ୍ଚାୟତ ସମେତ ଅନ୍ୟ କେତେକ ପାଖ ପଞ୍ଚାୟତ ପ୍ରତି ବିପଦ ସୃଷ୍ଟି କରିବ। ଏବେ ନଦୀ ଅତଡ଼ା ଖାଇବା ଦ୍ୱାରା ବହୁ ଲୋକଙ୍କ ଜମି ନଦୀର୍ଗକୁ ଚାଲିଗଲାଣି। ଏପରି କି ତିର୍ତ୍ତୋଲ କଲେଜ କ୍ୟାମ୍ପସ ସମ୍ପ୍ରସାରଣ ପାଇଁ ଥିବା ଜମି ସହ ସରସ୍ବତୀ ଶିଶୁ ମନ୍ଦିର ପାଇଁ ଥିବା ଜମିର କିଛି ଅଂଶ ନଦୀରେ ମିଶିଗଲାଣି। ଏଥିସହ ଏହି ସ୍ଥାନରେ ଥିବା ପୁରାତନ ଝୁଲବାବା ମଠ ଏବେ ନଦୀ ଗର୍ଭକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହେଲାଣି। ଏହି ମଠ ପରିସରରେ ଥିବା ବହୁ ବଡ଼ ବଡ଼ ଗଛ ନଦୀଗର୍ଭକୁ ଚାଲିଗଲାଣି। ମଠ ସଂଲଗ୍ନ ଜମିରେ ପାର୍କ ନିର୍ମାଣ ପାଇଁ ପଞ୍ଚାୟତ ପକ୍ଷରୁ ଘୋଷଣା ହୋଇଥିଲା। ଏଥିପାଇଁ ବ୍ଲକ ପ୍ରଶାସନ ନିକଟରେ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ନଦୀପଠା ଖାଇବା ଓ ମଠ ପରିସର ସଙ୍କୁଚିତ ହେବା ଫଳରେ ଏଥିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏଠାରେ ପ୍ରଶାସନ ତରଫରୁ ପଥର ପ୍ୟାକିଂ ଓ ବ୍ୟାପକ ବୃକ୍ଷରୋପଣ କରିବାକୁ ଦାବି ହେଉଛି। ରାଜ୍ୟ ସରକାରଙ୍କ ସବୁଜ ମହାନଦୀ ଯୋଜନାରେ ଏଠାରେ ସବୁଜ ବଳୟ ସୃଷ୍ଟି ହେଲେ ପଠାର ସୁରକ୍ଷା ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।