ମହାନଗର କମିଶନର, ଇଓଙ୍କୁ ଚିଠି ଲେଖିଲା ନଗର ଉନ୍ନୟନ ବିଭାଗ: ୩ ଦିନରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ସହାୟତା ରାଶି ଦିଅ

ଭୁବନେଶ୍ୱର,୩୦।୩(ବ୍ୟୁରୋ)- ରାଜ୍ୟର ସମସ୍ତ ମହାନଗର ନିଗମ, ମ୍ୟୁନିସିପାଲିଟି ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ଥିବା ସମସ୍ତ ଚିହ୍ନଟ ଓ ପଞ୍ଜୀକୃତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆସନ୍ତା ୩ ଦିନ ମଧ୍ୟରେ ସହାୟତା ପ୍ରଦାନ କରାଯିବ। ଏ ନେଇ ସୋମବାର ସମସ୍ତ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମ ଜିତ ନାୟକ ରାଜ୍ୟର ସମସ୍ତ ମହାନଗର ନିଗମ କମିଶନର, ମ୍ୟୁନିସିପାଲିଟି ଏବଂ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ(ଇଓ)ଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହି ସହାୟତା ରାଶି ପୌର ସଂସ୍ଥାରେ ଉପଲବ୍ଧ ଅର୍ଥରୁ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିତାଧିକାରୀମାନଙ୍କୁ ଏହି ସହାୟତା ଅର୍ଥ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର(ଡିବିଟି) ଜରିଆରେ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ପାଇଁ କୁହାଯାଇଛି। ସହରଗୁଡିକରେ ବିଭିନ୍ନ କ୍ୟାମ୍ପ କରି ସହାୟତା ରାଶି ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍‌-୧୯ ଗାଇଡ୍‌ଲାଇନକୁ ପାଳନ କରିବା ନେଇ ସାମାଜିକ ଦୂରତ୍ୱକୁୁ କଡାକଡି ପାଳନ କରିବାକୁ କୁହାଯାଇଛି। ପରବର୍ତ୍ତୀ ସମୟରେ ଅଧିକାରୀମାନେ ଏହି ଅର୍ଥ କେଉଁ ଆକାଉଣ୍ଟରୁ କେତେ ଖର୍ଚ୍ଚ କରିଛନ୍ତି ସେ ନେଇ ବିଭାଗକୁ ଜଣାଇବା ପରେ ସମସ୍ତ ଅର୍ଥ ପୁଣି ଭରଣା କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କାରେ ସମଗ୍ର ରାଜ୍ୟକୁ ୨୧ ଦିନ ପାଇଁ ଲକ୍‌ଡାଉନ କରାଯାଇଛି। ସହରାଞ୍ଚଳ ରାସ୍ତାକଡରେ କ୍ଷୁଦ୍ର ବ୍ୟବସାୟ କରି ଚଳୁଥିବା ପଞ୍ଜୀକୃତ ଦୋକାନୀମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କୁ ୩ ହଜାର ଟଙ୍କା ସହାୟତା କରିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ କରାଯିବ।