ମହାକାଶରେ ଆକାଉଣ୍ଟ ହ୍ୟାକ୍‌

ଓ୍ବାଶିଂଟନ୍‌, ୨୬ା୮(ଏଏଫ୍‌ପି):ମହାକାଶରେ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍‌ ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ୍ୟ। ଏହି ଘଟଣାର ତଦନ୍ତ କରିବାକୁ ଯାଉଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’। ମହାକାଶଚାରୀ ଆନ୍ନେ ମ୍ୟାକ୍‌କ୍ଲେନଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ। ସେ ସ୍ପେସ୍‌ ସେଣ୍ଟରରେ ଥିବା କମ୍ପ୍ୟୁଟରରୁ ତାଙ୍କ ପରିତ୍ୟକ୍ତା ସ୍ତ୍ରୀ ସମର ଓର୍ଡେନଙ୍କ ଇମେଲ୍‌ ଓ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ୍‌ସ ବିବରଣୀ ଚୋରି କରିଥିବା ନେଇ ଅଭିଯୋଗ ହୋଇଛି। ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌(ଆଇଏସ୍‌ଏସ୍‌)ରେ ୬ମାସିଆ ମିଶନ୍‌ କାଳରେ ମ୍ୟାକ୍‌କ୍ଲେନ୍‌ ଏଭଳି କେଳେଙ୍କାରି କରିଥିବା କୁହାଯାଉଛି। ଏହି ମହାକାଶଚାରୀଙ୍କ ପତ୍ନୀ (ଉଭୟ ସମକାମୀ ଦମ୍ପତି) ଓର୍ଡେନ ଚଳିତବର୍ଷ ପ୍ରାରମ୍ଭରେ ଫେଡେରାଲ ଟ୍ରେଡ ମିଶନ୍‌ (ଏଫ୍‌ଟିଏମ୍‌)ରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି, ମ୍ୟାକ୍‌କ୍ଲେନ୍‌ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଚୋରି କରିଛନ୍ତି। ଏଥିସହିତ ଓର୍ଡେନଙ୍କ ପରିବାର ମଧ୍ୟ ‘ନାସା’ର ଇନ୍ସପେକ୍ଟର ଜେନେରାଲ ଅଫିସରେ ଆଉ ଏକ ଅଭିଯୋଗ ଦାଏର କରିଛନ୍ତି।
ଅପରପକ୍ଷରେ ମ୍ୟାକ୍‌କ୍ଲେନ୍‌ଙ୍କ ଆଇନଜୀବୀଙ୍କ କହିବାନୁଯାୟୀ, ତାଙ୍କ ମହକିଲ ପୂର୍ବର ଯୁଗ୍ମ ଆକାଉଣ୍ଟ ତର୍ଜମା କରିବା ପାଇଁ ଆଇଏସ୍‌ଏସ୍‌ରେ ବ୍ୟାଙ୍କ ରେକର୍ଡ ତଥ୍ୟ ଜାଣିବା କିଛି ଭୁଲ ନୁହେଁ। ଅବଶ୍ୟ ଦମ୍ପତିଙ୍କ ବିଚ୍ଛେଦ ଘଟିବା ପରେ ଏହା କରାଯାଇଥିବାରୁ ଭୁଲ ହୋଇଥାଇପାରେ। ଇତିମଧ୍ୟରେ ନାସା ତଦନ୍ତକାରୀ ଅଫିସର ଉଭୟ ମହିଳାଙ୍କୁ ସାକ୍ଷାତ୍‌କରି ଏ ସଂକ୍ରାନ୍ତରେ ପଚରାଉଚରା କରି ଫେରିଛନ୍ତି।
ମହାକାଶଚାରୀ ମ୍ୟାକ୍‌କ୍ଲେନ୍‌ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ରେ ୬ମାସ ରହିବା ପରେ ଜୁନ୍‌ରେ ପୃଥିବୀକୁ ଫେରିଥିଲେ। ଯେଉଁ ଦୁଇଜଣ ମହିଳା ମହାକାଶରେ ଚାଲିବା ପାଇଁ ଚୟନ ହୋଇଥିଲେ, ତନ୍ମଧ୍ୟରେ ମ୍ୟାକ୍‌କ୍ଲେନ୍‌ ଥିଲେ ଅନ୍ୟତମ। କିନ୍ତୁ ମ୍ୟାକ୍‌କ୍ଲେନ୍‌ ଜଣେ ସମକାମୀ ମହିଳା ଭାବେ ବିବାଦୀୟ ହୋଇପଡିଥିବାରୁ ତାଙ୍କୁ ଉପଯୁକ୍ତ ସ୍ପେସ୍‌ଶୁଟ୍‌ ପିନ୍ଧିବାରୁ ବାରଣ କରାଯାଇଥିଲା। ଫଳରେ ସେ ମାର୍ଚ୍ଚରେ ମହାକାଶରେ ଚାଲିବାରୁ ବଞ୍ଚତ୍ତ ହୋଇଥିଲେ। ଓର୍ଡେନଙ୍କ କହିବାନୁଯାୟୀ, ଫେଡେରାଲ ଟ୍ରେଡ କମିଶନ୍‌ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଚୋରି ସମ୍ପର୍କରେ କୌଣସି ତଦନ୍ତ ଆରମ୍ଭ କରି ନ ଥିବାବେଳେ ନାସାର ଇନ୍ସପେକ୍ଟର ଜେନେରାଲ ଅଫିସ ପକ୍ଷରୁ ଏହି ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି।

Share