ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୮।୧୦: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ପ୍ରଥମ ଦିନ ଅର୍ଥାତ ରବିବାର ବେଦମାତା ବେଶ ଓ ଦ୍ୱିତୀୟ ଦିନ ସୋମବାର ମହାକାଳୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଆଦ୍ୟାଶକ୍ତି ମା’ ଭଦ୍ରକାଳୀ ମହାକାଳୀ ବେଶରେ ନାଲି ପାଟ ବସ୍ତ୍ର ପରିଧାନ କରିବା ସହ ମୁଖ ମଣ୍ଡଳ ଶ୍ୟାମଳ ବର୍ଣ୍ଣ ଦିଶୁଛି। ମୁକ୍ତକେଶ, ରକ୍ତ ଜିହ୍ବା ଏବଂ ହାତରେ ଖଣ୍ଡା,ତ୍ରିଶୂଳ ଧାରଣ କରି ମୁଣ୍ଡମାଳରେ ମା’ ସାଜିଛନ୍ତି ଉଗ୍ରରୂପୀ। ମା’ ଭଦ୍ରକାଳୀ ପୀଠ ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭାବେ ଭାରତ ବର୍ଷରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ତଥା ସେବାୟତମାନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶ୍ୱଶାନ୍ତି ମହାଯଜ୍ଞର ଆହୁତି ଚାଲିଥିବା ବେଳେ ବେଦପାଠ, ଗୀତା ପାଠ, ପ୍ରବଚନ, ଭଜନ,ସଂକୀର୍ତ୍ତନ, ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ମା’ଙ୍କ ପୀଠ।