Categories: ବାଣିଜ୍ୟ

ମହଙ୍ଗା ହେବ ମୋବାଇଲ ହ୍ୟାଣ୍ଡସେଟ୍‌

ନୂଆଦିଲ୍ଲୀ,୧୫।୩: ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋବାଇଲ ଫୋନ୍‌ ଉପରେ ଜିଏସ୍‌ଟି ୧୨%ରୁ ୧୮%କୁ ବୃଦ୍ଧି ଘଟିଛି। ଏହା ଏପ୍ରିଲ ପହିଲାରୁ ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଫଳରେ ମୋବାଇଲ ହ୍ୟାଣ୍ଡସେଟ୍‌ ଦାମ୍‌ ମହଙ୍ଗା ହେବ ବୋଲି ଜଣାପଡ଼ିଛି।
ସେହିଭଳି ଏୟାରକ୍ରାଫ୍ଟ ଲାଗି ମେଣ୍ଟେନାନ୍ସ ରିପେୟାର ଓଭରହଲ (ଏମ୍‌ଆର୍‌ଓ) ଲାଗି ଜିଏସ୍‌ଟି ୧୨%ରୁ ୫%କୁ ଖସିଛି। ଏହାବାଦ ହାତ ଏବଂ ମେଶିନରେ ପ୍ରସ୍ତୁତ ହେଉଥିବା ଦିଆସିଲି କାଠି ଉପରେ ୧୨% ଟିକସ ଧାର୍ଯ୍ୟ ହୋଇଛି। ଆର୍ଥତ୍କ ବର୍ଷ ୨୦୧୮ ଏବଂ ୨୦୧୯ରେ ୨ କୋଟିରୁ କମ୍‌ କାରବାର କରୁଥିବା ସଂସ୍ଥାଗୁଡିକ ପାଇଁ ବାର୍ଷିକ ରିଟର୍ନ ଫାଇଲରେ ବିଳମ୍ବ କ୍ଷେତ୍ରରେ ଲାଗୁଥିବା ଜରିମାନାକୁ ମଧ୍ୟ ଛାଡ଼ କରାଯାଇଛି। ଏହାଦ୍ୱାରା କ୍ଷୁଦ୍ର ବ୍ୟବସାୟୀମାନେ ଉପକୃତ ହୋଇପାରିବେ।
ଜୁଲାଇ ପହିଲାଠାରୁ ଜିଏସ୍‌ଟି ଦେୟ ବିଳମ୍ବ କ୍ଷେତ୍ରରେ ନେଟ୍‌ ଟାକ୍ସ ଲାୟାବିଲିଟି ଉପରେ ସୁଧ ଲାଗିବ ବୋଲି ସୀତାରାମନ କହିଛନ୍ତି। ଜିଏସ୍‌ଟି ନେଟ୍‌ଓ୍ବର୍କରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଚଳିତ ଥର ଜିଏସ୍‌ଟି ପରିଷଦ ବୈଠକରେ ଆଲୋଚନା କରାଯାଇଛି। ଜିଏସ୍‌ଟି ନେଟ୍‌ଓ୍ବର୍କ ହାର୍ଡଓ୍ବେରର କ୍ଷମତା ବୃଦ୍ଧି କରିବା ଲାଗି ଇନ୍‌ଫୋସିସ୍‌କୁ କୁହାଯାଇଥିବା ସୀତାରାମନ ମତ ଦେଇଛନ୍ତି। ଜିଏସ୍‌ଟି ନେଟ୍‌ଓ୍ବର୍କ କିଭଳି ଆହୁରି ୟୁଜର ଉପଯୋଗୀ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ହୋଇଛି। ଜୁଲାଇ ୨୦୨୦ ସୁଦ୍ଧା ଏକ ଉନ୍ନତ ଜିଏସ୍‌ଟିଏନ୍‌ ପ୍ରଦାନ କରିବାକୁ ଇନ୍‌ଫୋସିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଇନ୍‌ଫୋସିସ୍‌ ଜିଏସ୍‌ଟିଏନ୍‌କୁ ଡିଜାଇନ କରିଥିଲା।

Share