ମହଙ୍ଗା ପଡିଲା ପ୍ରେମ ସମ୍ପର୍କ : ପ୍ରେମିକାଙ୍କ ମାଡ଼ରେ ପ୍ରେମିକ ଗୁରୁତର, ଯୁବକଙ୍କୁ ମୃତ ଭାବି ଫୋପାଡ଼ି ଦେଲେ

ରଣପୁର,୭ା୧୦ (ସ୍ବ.ପ୍ର.): ପ୍ରେମ ସମ୍ପର୍କ ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ପ୍ରେମିକାଙ୍କ ଘରକୁ ଲୁଚିଛପି ଆସୁଥିଲା ବେଳେ କୌଣସି କାରଣକୁ ନେଇ ଯୁବକଙ୍କ ସହ ତାଙ୍କର ମତାନ୍ତର ହୋଇଥିଲା। ଏହାକୁ ନେଇ ପ୍ରେମିକାଙ୍କ ସମେତ ତାଙ୍କ ମାଆ ଓ ଦୁଇ ଭଉଣୀ ପ୍ରେମିକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ମୃତ୍ୟୁ ହୋଇଗଲା ଭାବି ସେମାନେ ତାଙ୍କୁ ଗ୍ରାମ ମୁଣ୍ଡ ଜଙ୍ଗଲରେ ଫୋପାଡି ଦେଇଥିଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ରଣପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି। ଗୁରୁତର ଯୁବକ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଧୁଆଁନାଳୀ ଗ୍ରାମର ବାଙ୍କିଆ ନାୟକ (୨୫)। ନୟାଗଡ ଜିଲା ରଣପୁର ଥାନା ମଝିଆଖଣ୍ଡ ପଞ୍ଚାୟତର ବାଙ୍କନାଳିଆ ଗ୍ରାମରେ ଘଟିଥିବା ଏଭଳି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଗ୍ରାମବାସୀ ଓ ବାଙ୍କିଆ ନାୟକଙ୍କଠାରୁ ପ୍ରକାଶ ଯେ, ବାଙ୍କନାଳିଆ ଗ୍ରାମର ଜନୈକ ମହିଳା ତିନି ଝିଅଙ୍କ ସହିତ ରୁହନ୍ତି। ବାଙ୍କିଆଙ୍କ ମାମୁଘର ମଧ୍ୟ ସେହି ଗ୍ରାମରେ। ସେଥିପାଇଁ ବାଙ୍କିଆ ଅଧିକାଂଶ ସମୟ ବାଙ୍କନାଳିଆ ଗ୍ରାମକୁ ଯାଆନ୍ତି। ଯିବାଆସିବା ମଧ୍ୟରେ ମହିଳାଙ୍କ ମଝିଆ ଝିଅ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିଭିନ୍ନ ସମୟରେ ବାଙ୍କିଆ ମାମୁଘରକୁ ଯାଉଛି କହି ଘରୁ ଆସୁଥିଲା ବେଳେ ପ୍ରେମିକାଙ୍କ ଘରେ ରହିଥାନ୍ତି। ଶନିବାର ରାତିରେ ସେ ନିଜ ଗ୍ରାମରୁ ଆସି ପ୍ରେମିକାଙ୍କ ଘରକୁ ଆସିଥିଲା ବେଳେ କୌଣସି କାରଣରୁ ପ୍ରେମିକାଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକାଙ୍କ ସହ ଦୁଇ ଭଉଣୀ ଓ ମାଆ ବାଙ୍କିଆଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପ୍ରବଳ ମାଡ଼ ଯୋଗୁ ବାଙ୍କିଆ ଅଚେତ ହୋଇଯାଇଥିଲେ। ବାଙ୍କିଆ ମରିଗଲା ଭାବି ସେମାନେ ତାଙ୍କୁ ଗୋଡିପୋଖରୀ ଜଙ୍ଗଲରେ ନେଇ ଫୋପାଡି ଦେଇଥିଲେ। ରବିବାର ମଧ୍ୟାହ୍ନରେ ଗ୍ରାମର ଜଣେ ବ୍ୟକ୍ତି ବାଙ୍କିଆଙ୍କୁ ଗୁରୁତର ଅବସ୍ଥାରେ ଦେଖି ଗ୍ରାମବାସୀ ଓ ପୋଲିସକୁ ଖବର ଦେଇଥିଲେ। ଏଣେ ଗିରଫ ଭୟରେ ଘରେ ତାଲା ପକାଇ ପ୍ରେମିକା ସହିତ ମାଆ ଓ ଦୁଇ ଭଉଣୀ ଗ୍ରାମରୁ ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ବାଙ୍କିଆ ଗୁରୁତର ଅବସ୍ଥାରେ ରଣପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ରଣପୁର ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ମାମଲା ରୁଜୁ ହୋଇପାରି ନାହିଁ।