Categories: ଜାତୀୟ

ମହଙ୍ଗା ପଡ଼ିଲା ଉଦ୍ଧବଙ୍କ ବିରୋଧରେ ବିବାଦୀୟ ପୋଷ୍ଟ: ଯୁବକଙ୍କୁ ମାଡ଼ମାରି ଲଣ୍ଡା କଲେ ଶିବସେନା ସମର୍ଥକ

ମୁମ୍ବାଇ,୨୪।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଶିବସେନା ସମର୍ଥକ ଉକ୍ତ ଯୁବକଙ୍କୁ ମାଡ଼ମାରିବା ସହ ଲଣ୍ଡା କରିଦେଇଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଡିସେମ୍ବର ୧୫ରେ ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରମାନଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଉଦ୍ଧବ ଏହାକୁ ୧୯୧୯ର ଜାଲିଓ୍ବାନାବାଗ ହତ୍ୟାକାଣ୍ଡ ସହ ତୁଳନା କରିଥିଲେ। ଏହାପରେ ହିରାମଣି ବିଜେନ୍ଦ୍ର ତିଓ୍ବାରି ନାମକ ଜଣେ ବ୍ୟକ୍ତି ଫେସ୍‌ବୁକ୍‌ରେ ଉଦ୍ଧବଙ୍କ ବିରୋଧରେ ଏକ ବିବାଦୀୟ ଟିପ୍ପଣୀ ପୋଷ୍ଟ କରିଥିଲେ। ଯାହାକୁ ନେଇ ପ୍ରଥମେ ଉକ୍ତ ତିଓ୍ବାରିଙ୍କୁ ପୋଷ୍ଟ ହଟାଇବା ପାଇଁ ଧମକ ମିଳିଥିଲା। ପରେ ଶିବସେନାର କିଛି ସମର୍ଥକ ଶାନ୍ତିନଗରସ୍ଥିତ ତିଓ୍ବାରିଙ୍କ ଘର ସମ୍ମୁଖରେ ତାଙ୍କୁ ମାରପିଟ କରିବା ସହ ଲଣ୍ଡା କରିଥିଲେ। ଅପରପକ୍ଷେ ଏହି ଘଟଣାକୁ ନେଇ ବଡାଲା ଟିଟି ପୋଲିସ ସିଆରପିସି ଧାରା ୧୪୯ ଆଧାରରେ ଦୁଇପକ୍ଷଙ୍କୁ ନୋଟିସ ଜାରି କରିବା ସହ ତଦନ୍ତ ଜାରି ରଖିଛି।

Share