Categories: ଜାତୀୟ

ମସ୍ତିଷ୍କ ଜ୍ୱରରେ ପୀଡିତ ଶିଶୁଙ୍କୁ ଭେଟିବାକୁ ଯାଇ ସମାଲୋଚନାର ଶିକାର ହେଲେ ନେତା

ମୁଜାଫରପୁର,୨୦।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପାଖାପାଖି ୧୧୭ ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି। ତେବେ ମହାମାରୀ ଭଳି ବ୍ୟାପିଥିବା ଏହି ରୋଗ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି। ଶ୍ରୀ କୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ଏବେ ଚିକିତ୍ସିତ ହେଉଥିବା ଶିଶୁଙ୍କୁ ଦେଖିବାକୁ ବହୁ ନେତା ଓ ଭିଆଇପିଙ୍କ ଭିଡ ପ୍ରତିଦିନ ଲାଗି ରହିଛି। ହେଲେ ଏବେ ଏହା ଯେମିତି ଏକ ପ୍ରହସନରେ ପରିଣତ ହୋଇଛି ବୋଲି କୁହାଯାଉଛି। କାରଣ ଗୁରୁବାର ଶରଦ ପାଓ୍ବାର ଏସ୍‌କେଏମ୍‌ସିଏଚ୍‌ ପହଞ୍ଚିଥିଲେ। ସେଠାରେ ସେ ମସ୍ତିଷ୍କ ଜ୍ୱରରେ ପୀଡିତ ଶିଶୁଙ୍କୁ ଭେଟିବାକୁ ଯାଇଥିଲେ। ପ୍ରକୃତ ଘଟଣା ହେଲା ପାଓ୍ବାର ନିଜ ସହ ପ୍ରାୟ ୧୯ଟି ଗାଡ଼ି ନେଇ ସେଠାରେ ପହଞ୍ଚିଥିଲେ। ଫଳରେ ସେଠାରେ ପ୍ରବଳ ଭିଡ ହେବାରୁ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟ ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସେଠାକୁ ଆସିଥିବା ଜଣେ ଭୋଜପୁରି କଳାକାରଙ୍କୁ ଦେଖିବାକୁ ଲୋକଙ୍କର ଭିଡ ଲାଗିଥିଲା। ତେଣୁ ଉକ୍ତ ଭୋଜପୁରି କଳାକାର ପୀଡିତ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପରିବର୍ତ୍ତେ ଏହା ସେମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା।

Share