ମର୍ଡର ମିଶନ ଅନ୍ତରାଳେ

‘ହଁ.. ହଁ.. ମୁଁ ଅବିନାଶ, ମୋର ଆରମ୍ଭ ନାହିଁ କି ନାହିଁ ଶେଷ। ମୁଁ ଖୁସି ଥିଲେ ବିନ୍‌ଦାସ ବିଗିଡି ଗଲେ ଖଲାସ..।’ ଏପରି ଏକ ମାନିଆ ଡାଏଲଗ ଏବେ ଜଲିଉଡ୍‌ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅବିନାଶ ଜଣେ ସାଇକୋ। ମୁଣ୍ଡରେ କେବଳ ଗୋଟିଏ କଥା ବସା ବାନ୍ଧିଛି। ସୁନ୍ଦରୀ ନାରୀଟିଏ ଦେଖିଲେ ତାକୁ ଉପଭୋଗ କରି ମର୍ଡର କରିବା ଏକ ନିଶା ପାଲଟି ଯାଇଛି। ହେଲେ ଏହି ମର୍ଡର ମିଶନ ଅନ୍ତରାଳରେ କ’ଣ ଲୁଚି ରହିଛି। ଅବିନାଶ ମନରୁ ଏପରି ମାନସିକତା ଦୂର ହେଉଛି କି ନାହିଁ। ତାହାର ଉତ୍ତର ରହିଛି ଚଳିତ ଯାତ୍ରା ସିଜନରେ ଚହଳ ସୃଷ୍ଟି କରି ଦର୍ଶକାଦୃତ ହୋଇଥିବା ଅପେରା ନାଟକ ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’ରେ। ମହେଶ ହାଜରାଙ୍କ ନିର୍ଦ୍ଦେଶିତ ଉକ୍ତ ନାଟକ ଅପେରା ରଙ୍ଗମହଲକୁ କେତେ ମାଇଲେଜ ଦେଇଛି ତାହା କହିବା ବାହୁଲ୍ୟ। କେବଳ ସେତିକି ନୁହେଁ, ଅବିନାଶ ଭୂମିକାରେ ଟାହିଆଙ୍କ ଜବରଦସ୍ତ ଅଭିନୟ ପ୍ରଶଂସା ସାଉଁଟିବାରେ ଲାଗିଛି। ଭାଇ-ଭଉଣୀର ଅନାବିଳ ସ୍ନେହକୁ ନେଇ ଆଧାରିତ ଉକ୍ତ ନାଟକରେ ଲଭ୍‌, ରୋମାନ୍ସ, କମେଡି, ଥ୍ରୀଲର ଭରି ରହିଛି। କେବଳ ଟାହିଆ ନୁହନ୍ତି, ଜଲିଉଡ୍‌ର କିଙ୍ଗ୍‌ ଷ୍ଟାର ଭାବେ ପରିଚିତ ସୁବାସ ବେହେରାଙ୍କ ଭାଇ ଭୂମିକା ଏବଂ ମାମାଙ୍କ ଭଉଣୀ ଚରିତ୍ରରେ ଜୀବନ୍ତ ଅଭିନୟ ନାଟକଟିକୁ ଆହୁରି ସଫଳ କରି ଗଢ଼ି ତୋଳିଛି।

Share