ମରାମତି ହେଉନି ଦୁର୍ବଳ ନଦୀବନ୍ଧ

ରସୁଲପୁର, ୨୪।୬ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ବାମପାର୍ଶ୍ୱ ବନ୍ଧ ରାସ୍ତା ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର ଗ୍ରାମ ନିକଟରୁ ବ୍ରହ୍ମବରଦା ପୋଲ ପର୍ଯ୍ୟନ୍ତ ଖାଲଖମାରେ ଭର୍ତ୍ତି ହୋଇଛି। ବନ୍ଧର ବିଭିନ୍ନ ସ୍ଥାନରେ ରେନକଟ୍‌ ଯୋଗୁ ଲୋକେ ବିପଦପୂର୍ଣ୍ଣ ଭାବେ ଯା’ଆସ କରୁଥିବା ବେଳେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ବର୍ଷାଦିନ ଆରମ୍ଭ ହୋଇଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ବନ୍ଧରେ ଘାଇ ହେବା ଆଶଙ୍କା ରହିଥିବାରୁ ନଦୀକୂଳ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକପ୍ରତିନିଧିଙ୍କ ନିକଟରେ ଅଭିଯୋଗ ପରେ ବି କିଛି ସୁଫଳ ମିଳୁନି। ତେବେ ନଦୀରେ ବନ୍ୟା ପାଣି ଆସିବା ମାତ୍ରେ ଆଖାପାଖର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ ପ୍ରଭାବିତ ହେବେ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଜାରକା ଜଳସେଚନ ଡିଭିଜନ୍‌ ଅଧୀନ ବରୀ ଉପଖଣ୍ଡ ଓ ରୁଦ୍ରପୁର ସେକ୍ସନ ଅଧୀନ ଗୋପାଳପୁର-ବ୍ରହ୍ମବରଦା ପର୍ଯ୍ୟନ୍ତ ପ୍ରାୟ ୧୦ କ.ମି. ଲମ୍ବ ନଦୀ ବନ୍ଧ ପାର୍ଶ୍ୱରେ ପ୍ରଥମାଖଣ୍ଡି, ରାଜେନ୍ଦ୍ରପୁର, ଅତଲାପୁର, ସାମନ୍ତରାପୁର, ମଙ୍ଗରାଜପୁର, ବାରବାଟୀ ଓ ଅର୍ଥଗାଁ ଆଦି ପଞ୍ଚାୟତ ରହିଛି। ଉକ୍ତ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଘାଟ କରାଯାଇ ଦିନକୁ ଶହଶହ ଟ୍ରକ୍‌, ଟ୍ରାକ୍ଟରରେ ବାଲି ପରିବହନ କରାଯାଉଛି। ବର୍ଷା ଯୋଗୁ ନଦୀ ବନ୍ଧ ନରମ ଥିବାରୁ ମାଟି ଦବି ଯାଇ ନାଳି ସୃଷ୍ଟି ହୋଇଛି। ସେହି ନାଳିଗୁଡିକ ଯୋଗୁ ବନ୍ଧ ଦୁର୍ବଳ ହୋଇଯାଉଛି। ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକୁ ମରାମତି କରାଯାଉ ନ ଥିବା ବେଳେ ବନ୍ଧ ସୁଦୃଢ଼ୀକରଣ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ନେଇ ବରୀ ଜଳସେଚନ ଉପଖଣ୍ଡ ଅଧିକାରୀ ସୁବାସ ତ୍ରିପାଠୀ କହନ୍ତି, ବନ୍ଧରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସେ ଅବଗତ ଅଛନ୍ତି। ପ୍ରତ୍ୟେକ ଦୁର୍ବଳ ସ୍ଥାନର ଫଟୋ ଉଠାଯାଇ ଉପରିସ୍ଥ ଅଧିକାରଙ୍କ ନିକଟକୁ ରିପୋର୍ଟ ପ୍ରଦାନ କରାଯାଇଛି। ଅନୁମତି ଆସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବ ବୋଲି କହିଛନ୍ତି।