ମରଣଯନ୍ତା ପାଲଟିଛି ସର୍ଭିସ ରୋଡ

ଆନନ୍ଦପୁର,୧୧। ୯(ସ୍ବ.ପ୍ର.)- ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ସର୍ଭିସ୍‌ ରୋଡ ମାସ ମାସ ଧରି ମରଣଯନ୍ତା ପାଲଟିଛି। ବିଶେଷକରି ବହୁ ଗୁରୁତ୍ୱପୂର୍ଣ୍ଣ ଶାଳପଡା ବାଇପାସ୍‌ର ସର୍ଭିସ୍‌ ରୋଡର ଅବସ୍ଥା ଶୋଚନୀୟ ରହିଛି। ଯାତାୟାତ କ୍ଷେତ୍ରରେ ଏହି ରାସ୍ତାର ଗୁରୁତ୍ୱ ଅଧିକ ରହିଛି। ଏହି ରାସ୍ତା ଦେଇ ଦୈନିକ ଜରୁରୀକାଳୀନ ସେବାର ଯାନବାହାନ ଯଥା ଅଗ୍ନିଶମ ବିଭାଗ, ୧୦୮ ଆମ୍ବୁଲାନ୍ସ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଯାତାୟାତ କରିବାର ମୁଖ୍ୟ ରାସ୍ତା ରହିଛି। ଏହା ସହିତ ଏହି ରାସ୍ତା ଦେଇ ଦୈନିକ ବହୁ ପ୍ରଶାସନିକ ଅଧିକାରୀ ଯାତାୟାତ କରୁଛନ୍ତି। କେହି ଏଥିପ୍ରତି ଦୃଷ୍ଟି ନ ଦେବା ଅତ୍ୟନ୍ତ ପରିତାପର ବିଷୟ ସାଜିଛି। ସର୍ଭିସ ରୋଡରେ ବଡ ବଡ ଖାଲ ମାନ ସୃଷ୍ଟି ହୋଇ ଯାତ୍ରୀମାନଙ୍କୁ ବିପଦ ମୁହଁକୁ ଠେଲୁଛି। ସର୍ଭିସ ରୋଡର ଏଭଳି ଅବସ୍ଥା ସମ୍ପର୍କରେ ଅଗଷ୍ଟ ମାସ ୧୯ ତାରିଖ ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଅଦ୍ୟାବଧି ଏହାର କୌଣସି ସମାଧାନ ହୋଇପାରନଥିବାରୁ ଖବରଦାତାଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।