Categories: ଖେଳ

ମନ ଜିଣିଲେ ଓ୍ବାର୍ନର

ଟଣ୍ଟନ, ୧୪ା୬ (ପି.ଟି.)-ଚଳିତ ଆଇସିସି ବିଶ୍ୱକପ୍‌ରେ ଜଣେ ଅଷ୍ଟ୍ରେଲୀୟ ଓପନର ଏକ ମନ ଜିଣିଲା ଭଳି କାର୍ଯ୍ୟ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଜିତିଥିବା ‘ମ୍ୟାନ ଅଫ୍‌ ଦି ମ୍ୟାଚ’ ପୁରସ୍କାରକୁ ଜଣେ ଅଷ୍ଟ୍ରେଲୀୟ ଦଳର ବାଳକ ସମର୍ଥକଙ୍କୁ ପ୍ରଦାନ କରିଛନ୍ତି। ବଲ୍‌ ଟ୍ୟାମ୍ପରିଂ ମାମଲାରେ ବାସନ୍ଦ ଦଣ୍ଡ ଭୋଗି ସାରି ଫେରିବା ପରେ ବୁଧବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଏକ ଶତକ ହାସଲ କରିବା ସହ ତାଙ୍କ ଦଳକୁ ୪୧ରନରେ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଷ୍ଟାଡିୟମରୁ ଫେରୁଥିବାବେଳେ ଓ୍ବାର୍ନରଙ୍କ ସହ ତାଙ୍କ ଦଳର ସମର୍ଥକମାନଙ୍କ ଭେଟ ହୋଇଥିଲା। ତନ୍ମଧ୍ୟରେ ଅଷ୍ଟ୍ରେଲିଆ ଜର୍ସି ପରିଧାନ କରିଥିବା ଜଣେ ବାଳକ ସମର୍ଥକ ରହିଥିଲେ। ସେ ତାଙ୍କ ‘ମ୍ୟାନ ଅଫ୍‌ ଦି ମ୍ୟାଚ’ ପୁରସ୍କାରଟିକୁ ଏହି ବାଳକଙ୍କୁୁ ପ୍ରଦାନ କରିଥିଲେ। ବାଳକ ଜଣକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଓ୍ବାର୍ନରଙ୍କଠାରୁ ‘ମ୍ୟାନ ଅଫ୍‌ ଦି ମ୍ୟାଚ’ ପୁରସ୍କାର ପାଇଁ ଏତେ ଖୁସି ଯେ, ତାହା ବର୍ଣ୍ଣନା କରି ହେବ ନାହିଁ। ମ୍ୟାଚ ବେଳେ ଆମେ ଅଷ୍ଟ୍ରେଲିଆ ପତାକା ହଲାଇ ଦଳକୁ ଉତ୍ସାହିତ କରିବାକୁ ଆସିଥିଲୁ। ଓ୍ବାର୍ନର ହଠାତ ମୋ ପାଖକୁ ଆସି ତାଙ୍କ ପୁରସ୍କାର ମୋତେ ଦେଇ ଦେଲେ। ବାଳକଟିର ପିତା କହିଛନ୍ତି, ମ୍ୟାଚ ଯେତେବେଳେ ପାକିସ୍ତାନ ସପକ୍ଷରେ ଥିଲା ଦଳ ସମର୍ଥକମାନେ ଖୁବ୍‌ ହୋ ହଲ୍ଲା କରୁଥିଲେ। ତେଣୁ ଆମକୁ ଚୁପ୍‌ ରହିବାକୁ ପଡ଼ିଥିଲା। ମାତ୍ର ମିଚେଲ ମାର୍ଶ ବୋଲିଂ କରିବାକୁ ଆସି ମ୍ୟାଚର ପରିସମାପ୍ତି ଘଟାଇଥିଲେ। ଏହା ଆମକୁ ଉଲ୍ଲସିତ କରିଥିଲା।

Share