Categories: ଜାତୀୟ

ମନ୍ଦିର ପୂଜକଙ୍କୁ ଜାଳିଦେଲେ

ଜୟପୁର,୧୦।୧୦: ରାଜସ୍ଥାନର କରୌଲିରେ ଜମି ବିବାଦକୁ ନେଇ ଦୁର୍ବୃତ୍ତମାନେ ମନ୍ଦିର ପୂଜକ ବାବୁଲାଲ୍‌ ବୈଷ୍ଣବଙ୍କୁ ନିସ୍ତୁକ ମାଡ଼ମାରିବା ସହ ପେଟ୍ରୋଲ ଢାଳି ଜାଳିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ରାଜନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ପୂଜକ ଜଣକ ରାଧାକୃଷ୍ଣ ମନ୍ଦିର ଟ୍ରଷ୍ଟର ୫.୨ ଏକର ଜମିରେ ଚାଷକରିବା ସହ ପ୍ରତିବଦଳରେ ପୂଜାନୀତି କରିଆସୁଥିଲେ। ସେହି ଜମି ନିକଟ ଏକ ପାହାଡ଼ିଆ ଜାଗାକୁ ବାବୁଲାଲ୍‌ ସମତଳ କରି ନିଜ ଘର କରିବାକୁ ବାହାରିଥିଲେ। ଏହାକୁ ମୀନା ସମ୍ପ୍ରଦାୟର କେତେଜଣ ଲୋକ ନିଜର ବୋଲି ଦାବିକରି ବିରୋଧ କରିଥିଲେ। ଏହି ବିବାଦ ଗାଁ ମୁଖିଆଙ୍କ ଦ୍ୱାରା ସମାଧାନ କରାଯାଇ ପୂଜକ ବାବୁଲାଲ୍‌ଙ୍କୁ ଦିଆଯାଇଥିଲା। ଦୁର୍ବୃତ୍ତଙ୍କ ଧମକଚମକ ପରେ ସେ ପୋଲିସକୁ ଖବର ଦେଇଥିଲେ। ବାବୁଲାଲ୍‌ ବାଜରା ଅମଳ ପରେ ସେଗୁଡ଼ିକୁ ଉକ୍ତ ସ୍ଥାନରେ ରଖିଥିବାବେଳେ ଦୁର୍ବୃତ୍ତମାନେ ନିଆଁଲଗାଇ ଏହାକୁ ପୋଡ଼ିଦେବା ସହ ବାବୁଲାଲ୍‌ଙ୍କୁ ଜାଳିଦେଇଥିବା ପୋଲିସ କହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜୟପୁରସ୍ଥିତ ଏସ୍‌ଏମ୍‌ଏସ୍‌ ହସ୍ପିଟାଲ ନିଆଯାଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ମୁଖ୍ୟ ଅଭିଯୁକ୍ତ କୈଳାସ ମୀନାଙ୍କୁ ଗିରଫ କରିଛି। ଭାଜପା ପକ୍ଷରୁ ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରାଯିବା ସହ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଇସ୍ତଫା ଦାବିକରିବା ଉଚିତ ବୋଲି ସମାଲୋଚନା କରି କୁହାଯାଇଛି।

Share