ମନ୍ଦିରରେ ଭିଡ, ୫ ଜଣଙ୍କ ନାମରେ ମାମଲା

ଫୁଲବାଣୀ ଅଫିସ, ୧୩ା୪- ଲକଡ଼ାଉନ ପାଇଁ ମନ୍ଦିରରେ ଭିଡ ଜମାଇବାକୁ ବାରଣ କରାଯାଇଛି। ହେଲେ ପଣା ସଂକ୍ରାନ୍ତିରେ ଏହାକୁ ନ ମାନି ମନ୍ଦିରରେ ଭିଡ ଜମାଇଥିବାରୁ ଫୁଲବାଣୀ ଆଦର୍ଶ ଥାନା ପୋଲିସ ପୂଜକଙ୍କ ସହ କର୍ମକର୍ତ୍ତାଙ୍କ ନାମରେ ମାମଲା ରୁଜୁ କରିଛି। କନ୍ଧମାଳ ଏସ୍‌ପି ପ୍ରତିକ ଗୀତା ସିଂ ସୋମବାର ସ୍ବତନ୍ତ୍ର ଭାବେ ବିଭିନ୍ନ ମନ୍ଦିର ବୁଲି ତଦାରଖ କରୁଥିଲେ। ପିଅନପଡ଼ା ରାସ୍ତାରେ କିଛି ମହିଳା ମନ୍ଦିର ଯାଉଥିବା ଦେଖି ତାଙ୍କୁ ଅଟକାଇ ପଚାରିଥିଲେ। ସେମାନେ କାଳୀ ମନ୍ଦିରକୁ ଯାଉଥିବା କହିଥିଲେ। ଏହାପରେ ଏସ୍‌ପି ମନ୍ଦିର ପୂଜକଙ୍କୁ ତାଗିତ କରିବା ସହ ମାମଲା ରୁଜୁ ପାଇଁ ଆଦର୍ଶ ଥାନାଧିକାରୀ ନରେଶ କୁମାର ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଥାନାରେ ମନ୍ଦିର କମିଟି ସଭାପତି, ସମ୍ପାଦକ, ପୂଜକ ଓ ଅନ୍ୟ ଦୁଇ ଜଣଙ୍କ ନାମରେ ନଂ.୪୦/୨୦ରେ ମାମଲା ରୁଜୁ ହୋଇଛି।