ମନ୍ଦିରରୁ ପୂଜକଙ୍କୁ ଉଠାଇନେଲା ପ୍ରଶାସନ

ଭଞ୍ଜନଗର,୨୧।୪(ଡି.ଏନ.ଏ.)-ଗଞ୍ଜାମରେ ଲକ୍‌ଡାଉନ ସାମାନ୍ୟ କୋହଳ ହୋଇଥିଲେ ମଧ୍ୟ ମନ୍ଦିରରେ ଲୋକଙ୍କ ଗହଳି ଉପରେ କଟକଣା ଜାରି ରହିଛି। ଏହା ସତ୍ତ୍ୱେ ଭଞ୍ଜନଗର-ବେଲଗୁଣ୍ଠା ରାସ୍ତାର ଜାମପଲ୍ଲୀ ଛକରେ ଥିବା ଏକ ମନ୍ଦିର ମଙ୍ଗଳବାର ସକାଳେ ଖୋଲାଥିବାରୁ କେତେଜଣ ଲୋକ ସେଠାକୁ ପୂଜା କରିବାକୁ ଯାଇଥିଲେ। ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ନିକଟରେ ଏହି ଖବର ପହଞ୍ଚିବା ପରେ ତାଙ୍କ ସମେତ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ମନ୍ଦିରରେ ଚଢ଼ାଉ କରି ପୂଜକଙ୍କୁ ଉଠାଇ ନେଇ ପୋଲିସକୁ ହସ୍ତାନ୍ତର କରିଥିଲେ। ସେହିଭଳି ଉପଜିଲାପାଳ ବିଭିନ୍ନ ସ୍ଥାନରେ ହେଲମେଟ୍‌, ମାସ୍କ ବ୍ୟବହାର କରି ନ ଥିବା ଲୋକଙ୍କ ଠାରୁ ୧୬,୨୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି । ଅପରାହ୍ନରେ ଉପ ଜିଲାପାଳ ତାଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଅଧିକାରୀଙ୍କୁ ନେଇ କରୋନା ମୁକାବିଲା ସମ୍ପର୍କିତ ସମୀକ୍ଷା କରିଥିଲେ ।