ମନୁଷ୍ୟଠାରୁ ଗୃହପାଳିତ ପ୍ରାଣୀଙ୍କୁ ବ୍ୟାପୁଛି କରୋନା ଭାଇରସ

ହଂକଂ,୫।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଲାଣି। ଏମିତିକି ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ ଏବେ କରୋନା ଭାଇରସ କବଳକୁ ଚାଲି ଆସିଛି। ତେବେ ହଂକଂରେ ପ୍ରଥମ କରି ଗୋଟିଏ କୁକୁର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଖବର ଆସିଛି। ହଂକଂର ଜଣେ ୬୦ ବର୍ଷୀୟା ମହିଳା କରୋନା ଭାଇରସରେ ସଂକ୍ରମିତ ଥିବା ବେଳେ ଏବେ ତାଙ୍କ ପୋଷା କୁକୁର କରୋନା ଭାଇରସରେ ସଂକ୍ରମିତି ହୋଇଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଣୀ ଚିକିତ୍ସାଳୟରେ ଉକ୍ତ କୁକୁରକୁ ଅଲଗା ଭାବେ ରଖାଯାଇ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ତେବେ କୁକୁର ନିକଟରେ ଏହାର କୌଣସି ଲକ୍ଷଣ ଦେଖାଯାଇ ନ ଥିବା ବେଳେ ମନୁଷ୍ୟଠାରୁ ଏହା କୁକୁରକୁ ବ୍ୟାପିଛି ବୋଲି ଅନୁମାନ କରାଯାଉଛି। ଏବେ ହଂକଂରେ କରୋନା ଭାଇରସରେ ପୀଡିତ ଥିବା ବ୍ୟକ୍ତି ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share