Categories: ରାଜ୍ୟ

ମଧ୍ୟାହ୍ନ ଭୋଜନ ଅଣ୍ଡାଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ

ଖଣ୍ଡପଡ଼ା,୧୮ା୭(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ବାଣପୁର ପଞ୍ଚାୟତ ଅଧୀନ ଘଣାଶାଳିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅଣ୍ଡା ଖାଇ ବୁଧବାର ୧୪ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୫୨ଜଣ ପଢ଼ନ୍ତି। ସେଥିମଧ୍ୟରୁ ୧୩୪ ପିଲା ଅଣ୍ଡା ଖାଇଥିଲେ । ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ କଣ୍ଟିଲୋ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟ ଠିକ୍‌ ଥିବା ଡାକ୍ତର କହିଥିଲେ। ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁ କହିଥିଲେ, ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ଅଣ୍ଡା ଖାଇବା ପରେ ବାନ୍ତି କରିବା ଦେଖି ପାଖରେ ଥିବା ଅନ୍ୟ କେତେଜଣ ବାନ୍ତି କରିଥିଲେ । ଖବର ପାଇ ସିଆର୍‌ସିସି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ବିଦ୍ୟାଳୟରେ ପହଞ୍ଚତ୍ ଘଟଣାର ଅନୁସନ୍ଧାନ କରିବା ସହ ଏଠାରେ ମହଜୁଦ ଅଣ୍ଡା ପରୀକ୍ଷା କରିବେ ବୋଲି ସୂଚନା ଦେଇଥିଲେ ।