ମଧ୍ୟାହ୍ନଭୋଜନ ପାଇଁ ଛାତ୍ରୀଛାତ୍ରଙ୍କୁ ମିଳିବ ରାଶନ

ଭୁବନେଶ୍ୱର, ୨୨।୩(ବ୍ୟୁରୋ): କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଦିଆଯାଇଛି। ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇପାରୁନାହିଁ। ଏଭଳିସ୍ଥିତିରେ ଛାତ୍ରୀଛାତ୍ରଙ୍କୁ କିପରି ଠିକ୍‌ଭାବେ ପୋଷଣ ଦିଆଯାଇପାରିବ ସେଥିପାଇଁ ରାଜ୍ୟ ସରକାର ପିଲାଙ୍କୁ ଚାଉଳ ଦେବା ପାଇଁ ଯୋଜନା କରିଛନ୍ତି। ମଧ୍ୟାହ୍ନଭୋଜନ ବାବଦକୁ ଛାତ୍ରୀଛାତ୍ରଙ୍କୁ ଏକକାଳୀନ ଆଗୁଆ ୩ ମାସର ଶୁଖିଲା ରାଶନ ଦିଆଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀର ପ୍ରତ୍ୟେକ ପିଲାକୁ ମାସିକ ୩କେଜି ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାକୁ ୪.୫କେଜି ଚାଉଳ ଦିଆଯିବ। ଏହା ଆସନ୍ତା ଜୁନ୍‌ ୧୩ତାରିଖ ପର୍ଯ୍ୟନ୍ତ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଜଣାଯାଇଛି। ପ୍ରଧାନ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ମାତାପିତାଙ୍କୁ କୁପନ୍‌ ଦେବେ। ଏହି କୁପନକୁ ଦେଖାଇ ସେମାନେ ସ୍କୁଲ ଅନୁବନ୍ଧିତ ହୋଇଥିବା ନିକଟସ୍ଥ ସାଧାରଣ ବଣ୍ଟନ କେନ୍ଦ୍ରରୁ ଏହି ଆଗୁଆ ରାଶନ୍‌ ଉଠାଇ ପାରିବେ। ଏଥିପାଇଁ ସମ୍ପୃକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲା ଯୋଗାଣ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ଦେବାକୁ ଦିର୍ଦ୍ଦେଶ ଦିଆଯାଇଛି। ସେପଟେ ଏସ୍‌ସିଏସ୍‌ଟି ବିଭାଗ ଦ୍ବାରା ପରିଚାଳିତ ସମସ୍ତ ଛାତ୍ରାବାସ ୨୫ତାରିଖରୁ ବନ୍ଦ ରହିବ। କିନ୍ତୁ ଯେପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ମାତାପିତା ବା ଅଭିଭାବକମାନେ ସେମାନଙ୍କୁ ଛାତ୍ରାବାସରୁ ନେଇନାହାନ୍ତି, ସେ ପର୍ଯ୍ୟନ୍ତ ସେମାନେ ଛାତ୍ରାବାସରେ ରହିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।