ମଧ୍ୟାହ୍ନଭୋଜନ ଚାଉଳ

ମାଲକାନଗିରି ଜିଲାରେ ଅନେକ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡୁଛନ୍ତି। ଅଧିକାଂଶ ଛାତ୍ରୀଛାତ୍ର ସ୍କୁଲକୁ ଆସୁନାହାନ୍ତି । ଏହି ଛାତ୍ରୀଛାତ୍ରଙ୍କ ପାଇଁ ସରକାର ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଥିଲେ ମଧ୍ୟ ସେ ବାବଦ ଚାଉଳ ହରିଲୁଟ ହେଉଛି। ଚାଉଳ ଯୋଗାଣ ଲାଗି ସରକାର ୫୦ କେଜିର ବସ୍ତା ବ୍ୟବସ୍ଥା କରିଛନ୍ତି। ପ୍ରତିବସ୍ତାରେ ୫୦ କେଜି ଚାଉଳ ସହ ବସ୍ତା ଓଜନ ବାବଦରେ ଅଧିକ ୧ କେଜି ଏପରି ୫୧ କେଜି ରହିବା କଥା ା ତେବେ ମାଲକାନଗିରି ଜିଲାର ବିଦ୍ୟାଳୟଗୁଡିକୁ ଯେଉଁ ଚାଉଳ ବସ୍ତା ଆସୁଛି ସେଥିରେ ଚାଉଳ କମ୍‌ ରହୁଛି। ପ୍ରତି ବସ୍ତାରେ ୫ କେଜିରୁ ଊର୍ଦ୍ଧ୍ୱ ଚାଉଳ କମ୍‌ ରହୁଥିବା ଅନେକ ସମୟରେ ଶିକ୍ଷକମାନେ ଅଭିଯୋଗ କରୁଛନ୍ତି। ଅଭିଯୋଗର ପ୍ରତିକାର ବଦଳରେ ପରୋକ୍ଷରେ ଶିକ୍ଷକମାନଙ୍କ ଉପରେ ଚାପ ପକାଯାଉଛି। ତୁମ ସ୍କୁଲରେ ଶତ ପ୍ରତିଶତ ଛାତ୍ରୀଛାତ୍ର ନାହାନ୍ତି। ଖାତାରେ ଅଧିକ ଦେଖାଉଛ। ଅନେକ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ନ ଖାଇ ଘରକୁ ଯାଇ ଖାଉଛନ୍ତି। ଏ ବିଷୟରେ ଜିଲା ପ୍ରଶାସନ ଦୃଷ୍ଟିକୁ ଆଣି ତୁମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି। ଜିଲାରେ ୨୦୧୭-୧୮ରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୩ହଜାର ୬୭୫ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜିଲା ଶିକ୍ଷା ବିଭାଗ ୨୧ ହଜାର ୪୯୧ କୁଇଣ୍ଟାଲ ୨୪ କେଜି ଚାଉଳ ଏବଂ ୨୦୧୮-୧୯ ରେ ୩୧ହଜାର ୧୫୬ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ୧୨ହଜାର ୮୦୪ କୁଇଣ୍ଟାଲ ୬୦ କେଜି ଚାଉଳ ଯୋଗାଣ ହୋଇଛି। ଜିଲା ପଣ୍ୟାଗାରରୁ ଯୋଗାଣ ବିଭାଗ ଦ୍ୱାରା ଏହି ଚାଉଳ ପରିବହନ ଏଜେଣ୍ଟମାନଙ୍କୁ ପ୍ରଦାନ କରାଯାଉଛି। ଏଥିପାଇଁ ମାଥିଲି, ଖଇରପୁଟ, କୁଡୁମୁଲୁଗୁମ୍ମା ବ୍ଲକରେ ଥିବା ବିଦ୍ୟାଳୟଗୁଡିକୁ ମାଥିଲି ଡିପୋରୁ ଚାଉଳ ଯାଉଥିବା ବେଳେ ମାଲକାନଗିରି ଡିପୋରୁ ମାଲକାନଗିରି, କୋରୁକୋଣ୍ଡା, କାଲିମେଳା, ପଡ଼ିଆ ବ୍ଲକକୁ ଚାଉଳ ଯୋଗାଣ ହେଉଛି। ଚାଉଳ ଓଜନ ସମୟରେ ଶିକ୍ଷା ବିଭାଗ ପକ୍ଷରୁ ଜଣେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଏବଂ କେତେଜଣ ଶିକ୍ଷକଙ୍କୁ ଦେଖିବା ପାଇଁ ରଖାଯାଇଛି। ଏହା ସତ୍ତ୍ୱେ କିପରି ଚାଉଳ ବସ୍ତାରେ ୫ରୁ ୭ କେଜି ଚାଉଳ କମ୍‌ ରହୁଛି ଏବଂ ଓଜନ ବେଳେ ସେଠାରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ଓ ଶିକ୍ଷକ କିପରି ଜାଣିପାରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡିପୋରେ ଚାଉଳ ଯଦି ଗୋଟିଏ ବସ୍ତାରେ ୫୦ କେଜି ଓଜନ ହୋଇଥାଏ, ତେବେ ବିଦ୍ୟାଳୟରେ ପହଞ୍ଚତ୍ଲା ବେଳକୁ ୫ କେଜିରୁ ଊର୍ଦ୍ଧ୍ୱ ଚାଉଳ ଯାଉଛି କୁଆଡ଼େ। ଏହି ୨ ବର୍ଷ ମଧ୍ୟରେ ପ୍ରତି ବସ୍ତା ପିଛା ଯଦି ୫ କେଜି ଚାଉଳ କମ୍‌ ହେଲା ତେବେ ମୋଟ ୩୪୩୦ କୁଇଣ୍ଟାଲ ଚାଉଳ ବାଟମାରଣା ହୋଇଛି। ଏହାକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଲେ ଏହି ଦୁର୍ନୀତିକୁ ରୋକାଯାଇ ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।