ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି

ଓ୍ବାଶିଂଟନ/ତେହେରାନ,୪ା୧: ତୁମେ ଯୁଦ୍ଧ ଆରମ୍ଭ କଲେ ଆମେ ତାକୁ ଶେଷ କରିବୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଧମକ ଦେଇଥିଲେ ଇରାନୀ ଜେନେରାଲ କାସିମ ସୋଲେମାନୀ। ଶେଷରେ ଆମେରିକାର ରକେଟ ମାଡ଼ରେ ସୋଲେମାନୀଙ୍କ ଜୀବନ ଶେଷ ହୋଇଯାଇଛି। ଏହି ଆକ୍ରମଣ ପରେ ଇରାନ ପକ୍ଷରୁ ଆମେରିକାକୁ ପ୍ରତିଆକ୍ରମଣର ଧମକ ଦିଆଯାଇଛି। ଏସବୁକୁ ନେଇ ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ଉପରେ ନାଟୋ ନଜର ରଖିଥିବା କହିଛି। ବାଗଦାଦସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ତୁରନ୍ତ ଇରାକ ଛାଡ଼ି ଚାଲିଯିବା ପାଇଁ ଆମେରିକୀୟମାନଙ୍କୁ ପରାମର୍ଶ ଦିଆଯାଇଛି।
୨୦୧୮ରେ ଆଣବିକ ଚୁକ୍ତିରୁ ଓ୍ବାଶିଂଟନ ଓହରିଯିବା ପରେ ଆମେରିକା ଓ ଇରାନ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥିଲା। ଦୁଇଦିନ ତଳେ ବାଗଦାଦ ଦୂତାବାସ ଆକ୍ରମଣକୁ ନେଇ ଆମେରିକାର କ୍ରୋଧ ବଢ଼ିଥିଲା। ଇରାନକୁ ପାନେ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଷ୍ପତ୍ତି ନେଇଥିଲେ। କୁଦ୍‌ସ ଫୋର୍ସରେ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ଥିବା ସୋଲେମାନୀଙ୍କ ପ୍ରଭାବ ମଧ୍ୟପ୍ରାଚ୍ୟରେ ଅଧିକ ଥିଲା। ସେ ସମ୍ପୃକ୍ତ ଅଞ୍ଚଳରେ ଆମେରିକାର ଦରିଆପାରି ବ୍ୟାପାରରେ ହସ୍ତକ୍ଷେପ କରି ଦେଶର ଛବିକୁ ମଳିନ କରୁଥିଲେ ବୋଲି ଓ୍ବାଶିଂଟନ ଅଭିଯୋଗ ଆଣିଥିଲା। ଶୁକ୍ରବାର ସୋଲେମାନୀଙ୍କୁ ହତ୍ୟା କରି ଦୂତାବାସ ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା। ଇରାନ ମଧ୍ୟ ଆମେରିକାକୁ ଏହାର ପରିଣାମ ଭୋଗିବ ବୋଲି ପ୍ରତିଶୋଧର ଧମକ ଦେଇଛି। ଇରାନ ରାଷ୍ଟ୍ରପତି ହାସନ ରୁହାନି କହିଛନ୍ତି, ଏହି ଆକ୍ରମଣ ପରେ ଆମେରିକା ବିରୋଧରେ ଆମର ଲଢ଼େଇ ଆହୁରି ମଜଭୁତ ହେବ। ଆମେରିକାର ବିସ୍ତାରବାଦକୁ ଦମନ ଓ ଇସ୍‌ଲାମିକ ମୂଲ୍ୟବୋଧର ସଂରକ୍ଷଣ ପାଇଁ ସୋଲେମାନୀଙ୍କ ମୃତ୍ୟୁ ଆମକୁ ବଳ ଦେବ। ଇରାନ ଏବଂ ସ୍ବାଧୀନତା ଆଶାରେ ସଂଗ୍ରାମ କରୁଥିବା ଅନ୍ୟ ଦେଶଗୁଡ଼ିକ ସୋଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବେ ବୋଲି ରାଷ୍ଟ୍ରପତି ରୁହାନି କହିଛନ୍ତି। ସୋଲେମାନୀଙ୍କ ମୃତ୍ୟୁ ପରେ ଇସ୍‌ମାଇଲ୍‌ କାନିଙ୍କୁ କୁଦ୍‌ସ ଫୋର୍ସ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ବ୍ରିଗେଡିୟର ଜେନେରାଲ ଇସ୍‌ମାଇଲ୍‌ କାନି ଏଣିକି ଏହି ସୁରକ୍ଷା ବଳର ନେତୃତ୍ୱ ନେବେ ବୋଲି ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନି ନିଜ ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଏକ ବିବୃତି ଜାରି କରିଛନ୍ତି।
ଇତିମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ତୁରନ୍ତ ଇରାକ ଓ ଇରାନ ଛାଡ଼ି ସ୍ବଦେଶକୁ ଚାଲିଯିବା ପାଇଁ ନିଜ ନାଗରିକମାନଙ୍କୁ ଆମେରିକା ପରାମର୍ଶ ଦେଇଛି। ସେମାନେ ଯଥାଶୀଘ୍ର ସମ୍ଭବ ବିମାନ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଚାଲିଯାଆନ୍ତୁ ବୋଲି ବାଗଦାଦସ୍ଥିତ ଆମେରିକା ଦୂତାବାସ କହିଛି। ନାଟୋ ସାମରିକ ମେଣ୍ଟ ସ୍ଥିତି ଉପରେ କଡ଼ା ନଜର ରଖିଥିବା ଏହାର ମୁଖପାତ୍ର ଡିଲନ୍‌ ହ୍ବାଇଟ ସୂଚନା ଦେଇଛନ୍ତି।

Share