ମଧୁସୂଦନ ନଗର, ଝାରପଡ଼ା ଆବଦ୍ଧ ଅଞ୍ଚଳ ଘୋଷଣା ନେଇ ଚାଲିଛି ଆଲୋଚନା

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଭୁବନେଶ୍ୱରର ୟୁନିଟ୍‌-୪ ଅନ୍ତର୍ଗତ ମଧୂସୂଦନ ନଗର ଓ ଝାରପଡ଼ା ଅଞ୍ଚଳରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସମ୍ପୃକ୍ତ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯିବ କି ନାହିଁ ସେନେଇ ଆଲୋଚନା ଚାଲିଥିବା ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି। ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ଅଧୀନରେ ଥିବା ସୂର୍ଯ୍ୟନଗର, ବମିଖାଲ, ସତ୍ୟନଗର, ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳକୁ ସିଲ୍‌ କରାଯାଇଛି। ଏବେ ସେ ସମସ୍ତ ଅଞ୍ଚଳରେ ବିଏମ୍‌ସି ସେବା ଯୋଗାଉଥିବାବେଳେ ଲୋକଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦେଇଛି। ବିଏମ୍‌ସି କମିଶନରଙ୍କ ନେତୃତ୍ୱରେ କେଉଁ ଅଞ୍ଚଳ ସିଲ୍‌ କରାଯାଉଛି ତାହା ସ୍ଥିର କରାଯାଉଥିବାବେଳେ ଏବେ ବିଭାଗୀୟ ସ୍ତରରେ ଉପରୋକ୍ତ ଦୁଇଟି ଅଞ୍ଚଳକୁ ସିଲ୍‌ କରାଯିବ କି ନାହିଁ ସେନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।