ମଧୁମେହ ରୋଗୀ ଜଳଖିଆରେ ପିଅନ୍ତୁ ଏକ ଗ୍ଲାସ କ୍ଷୀର

ବର୍ତ୍ତମାନ ସମୟରେ ଡାଇବେଟିକ୍‌ ବା ମଧୁମେହ ରୋଗ ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହି ରୋଗର ଉପଶମ ପାଇଁ ସବୁଠାରୁ ଅଧିକ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଅଧିକ ମିଠା ଖାଇବା ଦ୍ୱାରା ଏହି ରୋଗ ବଢ଼ି ଯାଇଥାଏ। ତେବେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ମଧୁମେହ ରୋଗୀ କ୍ଷୀର ପିଇବା ଦ୍ୱାରା ଲାଭ ମିଳିଥାଏ। ଏକ ଗ୍ଲାସ କ୍ଷୀରରେ ୮ ଗ୍ରାମ ପ୍ରୋଟିନ୍‌ ରହିଥାଏ, ଯାହାକି ଡାଇବେଟିସ ସହ ଅନ୍ୟ ରୋଗ ପାଇଁ ଲାଭଦାୟକ ହୋଇଥାଏ। କ୍ଷୀରରେ କାର୍ବୋହାଇଡ୍ରେଟ୍‌ ରହିଛି। ଏହି କାରଣ ପାଇଁ ଏହାକୁ ସକାଳ ଜଳଖିଆରେ ପିଇବା ଦ୍ୱାରା ପାଚନ କ୍ରିୟା ଧିମେଇ ଯାଇଥାଏ। ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଜର୍ନାଲ ଅଫ୍‌ ଡେରୀ ସାଇନ୍ସର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଜଳଖିଆରେ କ୍ଷୀର ପିଇବା ଦ୍ୱାରା ମୋଟାପଣ କଣ୍ଟ୍ରୋଲରେ ରହିବା ସହିତ ଡାଇବେଟିସ ବେଶି ପ୍ରଭାବିତ ହୋଇ ନ ଥାଏ। ଏଥିସହ ଭୋକ ମଧ୍ୟ ଆୟତ୍ତରେ ରହିଥାଏ।
କ୍ଷୀର ପିଇବା ଦ୍ୱାରା ଆଉ କ’ଣସବୁ ଲାଭ ମିଳେ:
– ସକାଳୁ କ୍ଷୀର ପିଇବା ଦ୍ୱାରା ରକ୍ତରେ ଗ୍ଲୁକୋଜ୍‌ର ସ୍ତର ନିୟନ୍ତ୍ରିତ ରହିଥାଏ।
– କ୍ଷୀରରେ କ୍ୟାଲସିୟମ୍‌ ଭରପୂର ମାତ୍ରାରେ ରହିଛି, ଯାହାକି ହାଡ଼ ଏବଂ ମାଂସପେଶୀକୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ।
– କ୍ଷୀର ପିଇବା ଦ୍ୱାରା ଖାଦ୍ୟ ଠିକ୍‌ ଭାବେ ହଜମ ହୋଇଥାଏ। ଏଥିସହ କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ।
– କ୍ଷୀର ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ପୋଷକ ପ୍ରଦାନ କରିଥାଏ। ଏହା ଦ୍ୱାରା ଶରୀରକୁ ଏନର୍ଜୀ ମିଳିବା ସହିତ ଥକାପଣ ଦୂର ହୋଇଥାଏ।