ମଦ ବ୍ୟବସାୟୀଙ୍କୁ ସାବାଡ଼ ପାଇଁ ଶପଥ: ଠେଙ୍ଗା, ଟର୍ଚ୍ଚ ଧରି ବାହାରିଲେ ମହିଳା

ବେଗୁନିଆ, ୨୧।୭(ଡି.ଏନ.ଏ.):  ମଦ ପିଇ ଘରର ପୁରୁଷ ବ୍ୟକ୍ତିମାନେ ଘରକୁ ଆସି ଶାନ୍ତିଶୃଙ୍ଖଳା ଭଙ୍ଗ କରିବା ସହ ମହିଳାଙ୍କୁ ମାଡ ମାରୁଛନ୍ତି। ଏଥିଯୋଗୁ ଅଧିକାଂଶ ଘରେ ମଦ ପାଇଁ ଝଗଡା ଲାଗୁଛି। ମଦ ପିଇ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହୋଇ ରାସ୍ତା ଘାଟରେ ଝିଅ, ବୋହୂମାନଙ୍କୁ କମେଣ୍ଟ ମାରୁଛନ୍ତି। ତେଣୁ ସେମାନେ ବାହାରେ ଚଳପ୍ରଚଳ କରିବାକୁ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ମଦ କାରବାର ରୋକିବାକୁ ଯାଇ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତର ମହିଳାମାନେ ଅଣ୍ଟା ଭିଡିଛନ୍ତି। ଘରକୋଣରୁ ମହିଳାମାନେ ନିଜର ପିଲା, ପରିବାର ପାଇଁ ବାହାରକୁ ଗୋଡ କାଢିଛନ୍ତି। ଶତାଧିକ ମହିଳା ମଦ ମାଫିଆଙ୍କୁ ସାବାଡ କରିବାକୁ ଶପଥ ନେଇଛନ୍ତି। ଗଁା ଗଣ୍ଡାରୁ ମଦ କାରବାରକୁ ମୂଳୋତ୍ପାଟନ କରିବାରେ ଲାଗି ପଡିଛନ୍ତି। ସଞ୍ଜ ନଇଁଲେ ଘରର ସମସ୍ତ କାମ ଧନ୍ଦା ଶେଷ କରି ଅନ୍ଧାରରେ ହାତରେ ଠେଙ୍ଗା ଓ ଟର୍ଚ୍ଚ ଧରି ବ୍ୟବସାୟୀଙ୍କୁ ଜଗି ରହୁଛନ୍ତି। ଏଭଳି ପ୍ରୟାସ ୪୫ ଦିନ କରିବା ପରେ ୫୦ ପ୍ରତିଶତ ଚୋରା ମଦ କାରବାର କମିଥିବା ମଦ ବିରୋଧୀ ଅଭିଯାନର ନେତୃତ୍ୱ ନେଉଥିବା ସଭାନେତ୍ରୀ ସୁମିତ୍ରା ପାଣିଗ୍ରାହୀ ଓ ସମ୍ପାଦିକା ବାସନ୍ତୀ ପାଣିଗ୍ରାହୀ କହିଛନ୍ତି। ହେଲେ ସରକାରଙ୍କ ମଦ ବିକ୍ରି ପାଇଁ ପ୍ରୋତ୍ସାହନ ପ୍ରସଙ୍ଗ ଶୁଣି ସେମାନେ ଅଧିକ ତତ୍ପର ହୋଇ ଉଠିଛନ୍ତି। ସରକାର ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ମଦ ପାଇଁ ପରିବାର ଭାଙ୍ଗି ଯାଉଛି, ଯୁବଗୋଷ୍ଠୀ ଅବାଟକୁ ଚାଲି ଯାଉଥିବାବେଳେ ଝିଅ, ବୋହୂମାନେ ଅସୁରକ୍ଷିତ ମଣୁଛନ୍ତି। ତେଣୁ ଏସବୁ ବିଶୃଙ୍ଖଳା ପାଇଁ ସରକାର ଦାୟୀ ରହିବେ ବୋଲି ମହିଳାମାନେ କହିଛନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ମଦ ବିରୋଧୀ ଅଭିଯାନକୁ ତୀବ୍ରତର କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ମହିଳାମାନେ ଚୋରା ମଦ ବ୍ୟବସାୟୀଙ୍କୁ ଧରିବା ପରେ ପୋଲିସକୁ ଖବର ଦେଉଥିଲେ ହେଁ ସେମାନେ ଆସୁନାହାନ୍ତି। ପୋଲିସ ଚୋରା ମଦ ବ୍ୟବସାୟୀମାନଙ୍କଠାରୁ ମାସିକିଆ ବଟି ନେଉଥିବାରୁ ଧରୁ ନ ଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ବେଗୁନିଆ ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରୁ ନ ଥିବାରୁ ଏହା ଅବାଧରେ ଚାଲିଛି। ବିଭାଗୀୟ କର୍ମଚାରୀମାନେ ବଟି ନେଇ ଚୁପ ହୋଇ ବସି ପଡୁଛନ୍ତି। ସେମାନଙ୍କ ନିଷ୍କ୍ରିୟତା ମଦ ବ୍ୟବସାୟକୁ ବଢାଇବାରେ ସହଯୋଗ କରୁଛି। ଏ ସଂକ୍ରାନ୍ତରେ ସେମାନେ ଜିଲାପାଳଙ୍କୁ ବ୍ଲକରେ ହେବାକୁ ଥିବା ଜନ ଶୁଣାଣିରେ ଅଭିଯୋଗ କରିବେ ବୋଲି କହିଛନ୍ତି। ମହିଳାମାନଙ୍କ ଏଭଳି ପ୍ରୟାସ ଗଁାକୁ ଗଁା ବ୍ୟାପିବାରେ ଲାଗିଛି। ମହିଳାମାନଙ୍କ ଏଭଳି ଉଚ୍ଚକୋଟୀର ପ୍ରୟାସକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି।